ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା ଓକିଲାତି ସଂଘ (ବାର୍ଡ), ଅବସରପ୍ରାପ୍ତ ସୈନିକ ସଂଘ ଏବଂ ଗ୍ରାହକ ପଞ୍ଚାୟତର ମିଳିତ ସହଯୋଗରେ ବିଶ୍ୱ ଗ୍ରାହକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖାଉଟିମାନଙ୍କୁ ଶୋଷଣ କରାଯାଉଥିବା ନେଇ ଉଦ୍ବେଗ ପ୍ରକାଶ ପାଇଛି।
ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘର ସଭାପତି ମହେନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗ ଦେଇଥିଲେ। ସେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନରେ ଖାଉଟିଙ୍କ ଅଧିକାର ଓ କର୍ତ୍ତବ୍ୟ ସୂଚନାକୁ ଓଡ଼ିଆ ଭାଷାରେ ଲେଖିବା ଉପରେ ଗୁରୁତ୍ୱ ଦେଇଥିଲେ। ସେହିଭଳି ଯୋଗାଣ ବିଭାଗ ଅଧିକାରୀ ଶୁଭଶ୍ରୀ ଜେନା କହିଥିଲେ ଯେ, ବର୍ତ୍ତମାନ ଗ୍ୟାସ ବା ପେଟ୍ରୋଲର କୌଣସି ଅଭାବ ନାହିଁ। ଯଦି କେହି କଳାବଜାରରେ ରନ୍ଧନ ଗ୍ୟାସ ବିକ୍ରି କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ସଭାରେ ଖାଉଟି ସଂଘ ପକ୍ଷରୁ କେତେକ ଗୁରୁତର ଅଭିଯୋଗ ଅଣାଯାଇଛି। ଭଞ୍ଜନଗର ଇଣ୍ଡେନ ଗ୍ୟାସ ବିତରକ ଜାଣିଶୁଣି ସଭାକୁ ଅନୁପସ୍ଥିତ ରହିବାକୁ ନେଇ ଖାଉଟିମାନେ କ୍ଷୋଭ ପ୍ରକାଶ କରିଥିଲେ। ଘରୋଇ ଖାଉଟିଙ୍କୁ ନିୟମ ଅନୁସାରେ ଗ୍ୟାସ ମିଳୁ ନ ଥିବା ବେଳେ ବାହାର ହୋଟେଲ ଓ ବ୍ୟବସାୟୀଙ୍କ ପାଖରେ ଘରୋଇ ସିଲିଣ୍ଡର ୧୫୦୦ ଟଙ୍କାରେ ଚୋରାରେ ମିଳୁଥିବା ଅଭିଯୋଗ ହୋଇଛି। ବିତରକଙ୍କ ହେଲ୍ପଲାଇନ ନମ୍ବର ନଲାଗିବା ଏବଂ ହ୍ବାଟସଆପ୍ରେ କୌଣସି ଉତ୍ତର ନ ମିଳିବା ଯୋଗୁ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପେଟ୍ରୋଲ ପମ୍ପଗୁଡ଼ିକରେ ମାଗଣା ପବନ, ଶୁଦ୍ଧ ଜଳ, ଫାଷ୍ଟ-ଏଡ ଏବଂ ଓଡ଼ିଆରେ ଖାଉଟି ଫଳକ ଭଳି ସୁବିଧା ଏବେ ସୁଦ୍ଧା ଉପଲବ୍ଧ ହୋଇନାହିଁ।
ଘୁମୁସର ଉପଖଣ୍ଡର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୨୨ଟି ଗ୍ୟାସ ବିତରକ ସଂସ୍ଥା ଖାଉଟିଙ୍କ ଅଧିକାରକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଥିବା ନେଇ ବୋର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଏବଂ ଗ୍ରାହକ ପଞ୍ଚାୟତ ସଭାପତି ତ୍ରିନାଥ ଗୌଡ଼ ଅଭିଯୋଗ କରିଛନ୍ତି। ଯୁଦ୍ଧ ବାହାନାରେ ଖାଉଟିଙ୍କୁ ଲୁଟୁଥିବା ବ୍ୟବସାୟୀଙ୍କ ବିରୋଧରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି।