ଗର୍ଜିଲା କଂଗ୍ରେସ; ଏମିଜିଏନଇଆରଇଜିଏସ ଯୋଜନାର ନାଁ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଦାରିଙ୍ଗବାଡି,୨୯।୧(ଅରୁଣ ସାହୁ): ଏମିଜିଏନଇଆରଇଜିଏସ ଯୋଜନାର ନାମ ପରିବର୍ତ୍ତନକୁ କଂଗ୍ରେସର ବିରୋଧ। ଗୁରୁବାର କଂଗ୍ରେସ ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ କଂଗ୍ରେସର ବ୍ଲକ ସଭାପତି ଜିରୀମୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିଭାବେ ଦଳର ଜିଲା ସଭାପତି ଚନ୍ଦ୍ରଶେଖର ପରିଡା ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ସେମାନଙ୍କ ଅଭିଯୋଗ ଯେ, ସରକାର ଏମିଜିଏନଇଆରଇଜିଏସ ଯୋଜନାର ନାମ ପରିବର୍ତ୍ତନ କରି ଭିବିଜି ରାମଜୀ ବା ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜିବିକା ମିଶନ ନାମରେ ନାମକରଣ କରିଛନ୍ତି। ତେବେ ଦେଶକୁ ସ୍ବାଧୀନତା ଆଣିଥିବା ମହାତ୍ମା ଗାନ୍ଧୀଙ୍କ ନାମକୁ ଲୋପ କରିବାକୁ ଭାଜପା ଏକ ବଡ଼ ଷଡଯନ୍ତ୍ର କରୁଥିବା ବିଧାୟକ ଏବଂ ଜିଲା ସଭାପତି ଅଭିଯୋଗ ଆଣିଥିଲେ।

ସେହିପରି ସରକାର ସ୍ମାର୍ଟ ମିଟର ଲଗାଇ ଗରିବ ଲୋକଙ୍କୁ ଲୁଟିବା ଏକ ନିନ୍ଦନୀୟ ବୋଲି ଏହାର ପ୍ରତିବାଦ ଜଣାଇଥିଲେ। ଏହା କୌଣସି ସାଧାରଣ ବିଧାନମୂଳକ ପ୍ରକ୍ରିୟା ନୁହେଁ। ଏହା ଏକ ରାଜନୈତିକ ଚକ୍ରାନ୍ତ, ଯାହାର ଉଦ୍ଦେଶ୍ୟ ଏକ ଐତିହାସିକ, ଅଧିକାର-ଆଧାରିତ ଜନକଲ୍ୟାଣ ଆଇନକୁ ଦୁର୍ବଳ କରିବା ଏବଂ ଭାରତର ସବୁଠାରୁ ପରିଚିତ କଲ୍ୟାଣକାରୀ ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ଓ ମୂଲ୍ୟବୋଧକୁ ମିଳାଇଦେବାପ୍ରୟାସ ବୋଲି ଦଳ ଅଭିଯୋଗ କରିଥିଲା। ଭାଜପା ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିନ୍ତ ଯୋଜନାକୁ(MGNREGA)କୁ ରଦ୍ଦ କରିବା ପାଇଁ ଏକ ବିଲ ଆଣି ଏକ ଭୟାବହ ଏବଂ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରୁଥିବା ନିନ୍ଦନୀୟ ବୋଲି କୁହାଯାଇଛି।

ଏହି ଯୋଜନା ଜନସାଧାରଣଙ୍କ ସଂଘର୍ଷରୁ ଜନ୍ମ ନେଇଥିଲା ଏବଂ ‘ପ୍ରତି ହାତକୁ କାମ ଦିଅ, କାମର ପୂରା ଦାମ୍‌ ଦିଅ’ ବାଣୀକୁ ସାକାର କରିଥିଲା I ଏହା ଗ୍ରାମୀଣ ଭାରତର ଲୋକମାନଙ୍କୁ କାମ ମାଗିବାର ଆଇନଗତ ଅଧିକାର ଦେଇଥିବା ଓ ସମଗ୍ର ଗ୍ରାମୀଣ ଭାରତରେ ୧ ଶହ ଦିନର ରୋଜଗାର ନିଶ୍ଚିତ କରିଥିଲା। ଏହାସହ ବିକେନ୍ଦ୍ରୀକୃତ ଶାସନକୁ ଶକ୍ତିଶାଳୀ କରିଥିଲା। ମହିଳା ଓ ଜମିହୀନମାନଙ୍କୁ ସଶକ୍ତ କରିଥିଲା ଏବଂ ଶ୍ରମର ଗରିମାକୁ ସୁରକ୍ଷିତ କରିଥିଲା ବୋଲି ଦଳ କହିଛି। ଏନେଇ ଦଳ ପକ୍ଷରୁ ସଭା ପରେ ବିରାଟ ଶୋଭାଯାତ୍ରାରେ ଦାରିଙ୍ଗବାଡି ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ପରିସରରେ ଦଳର ନେତା ଓ କର୍ମୀ ପହଞ୍ଚି ଧାରଣା ଦେଇଥିଲେ। ପରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଦଳ ପକ୍ଷରୁ ସମସ୍ତେ ସାରିଙ୍ଗିଇର୍ପିଠାରେ ଥିବା ସଭାଗୃହରେ ଏକ ନୂତନବର୍ଷ ଓ ନୂତନ କମିଟିକୁ ନେଇ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଥିଲେ।

 

Dharitri – Odisha’s No.1 Odia Daily

 

Share