ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡ଼ବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଉଛି। ବର୍ତ୍ତମାନ ଫସଲର ଧାନକେଣ୍ଡା ଅଗାଡ଼ି ହୋଇଯାଉଥିବା ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରର ଏକକିତା ନକଲ କୃଷି ଅଧିକାରୀ ରାଜୀବ ମିଶ୍ର ଏବଂ ତହସିଲଦାର ସୋନାଲି ପଟ୍ଟନାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ ରହିଛି, ଚଳିତବର୍ଷ ରବି ଧାନ ଫସଲ ସମସ୍ତ ଅଞ୍ଚଳରେ ଭଲ ହୋଇଥିଲା। ମାତ୍ର ଜିଲାର ଅନେକ ଗ୍ରାମର ଧାନ ଫସଲରେ ଅଜଣା ରୋଗପୋକ ଉପଦ୍ରବ ହୋଇଛି। କୀଟନାଶକ ପ୍ରୟୋଗ ସତ୍ତ୍ବେ କିଛି ସୁଫଳ ମିଳୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଧାନକେଣ୍ଡା ବାହାରିବା ସମୟରେ ଶୁଖା ଧାନ ପ୍ରଚୁର ପରିମାଣରେ ବାହାରୁଛି । ଫଳରେ ତୁରନ୍ତ ଏକ ଜିଲାସ୍ତରୀୟ କମିଟି ଗଠନ କରି ପ୍ରଭାବିତ ଫସଲର ସରଜମିନ ତଦନ୍ତ କରି ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ପ୍ରଭାବିତ ଚାଷୀମାନଙ୍କୁ ଚି଼ହ୍ନଟ କରି ସବସିଡି କ୍ଷତିପୂରଣ ଏବଂ ବୀମା ଦେବା ବ୍ୟବସ୍ଥା କରାଯିବାକୁ ସଙ୍ଗଠନ ଦାବି କରିଛି। ଯେଉଁଠି କୀଟନାଶକ ପ୍ରୟୋଗ କଲେ ଧାନ ଚାଷ ଭଲ ହେବ, ସେଠାରେ ପ୍ରାମାଣିକ କୀଟନାଶକ ସବ୍ସିଡି ମାଧ୍ୟମରେ ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି। ଅତିରିକ୍ତ ଜିଲାପାଳ କୃଷି ଅଧିକାରୀକୁ ଡକାଇ ତୁରନ୍ତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ସଂଯୁକ୍ତ କୃଷକ ସଂଗଠନର ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ, ବାବ୍ରୁ ବାହାନ ସାହୁ, ପ୍ରଶାନ୍ତ ସାହୁ, ତପନ ମିଶ୍ର, ସୁଦାମ ପାତ୍ର, ଏକାଦଶିଆ ସାହୁ, କିଶୋର ସାହୁ, ଟେକରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।