Categories: ଅନୁଗୋଳ

ଅଣନିଃଶ୍ୱାସୀ କରୁଛି ଅଳିଆ ନିଆଁ

ଅନୁଗୋଳ ଅଫିସ,୧୪।୫ ଦୀର୍ଘବର୍ଷ ପରେ ହେଲା ପୌର ନିର୍ବାଚନ। ନୂଆ ପରିଷଦ ଗଠନ ସହ ଅନୁଗୋଳ ପୌରାଞ୍ଚଳର ପରିମଳ ଦିଗରେ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଗଲା। ଏପରି କି ଆବର୍ଜନା ପରିଚାଳନାର ସୁଫଳ ଯେପରି ତତ୍‌କ୍ଷଣାତ ମିଳିବ ସେ ନେଇ ବ୍ୟବସ୍ଥା ହେଲା। ହେଲେ ମାଳ ମାଳ ଅଳିଆ ଉଠା ଗାଡ଼ି ସହ ଲୋକବଳ ରହିଥିଲେ ମଧ୍ୟ ସଫେଇ ଠିକ୍‌ ଭାବେ କରାଯାଉ ନାହିଁ। ଯେଉଁ ପରିମାଣରେ ଆବର୍ଜନା ଉଠାଯିବା କଥା ତାହା ଦେଖାଯାଉ ନାହିଁ। ଅନେକ ସମୟରେ ସଫେଇ କର୍ମଚାରୀମାନେ ଅଳିଆ ସ୍ଥାନାନ୍ତର ନ କରି ସେଥିରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ବିଷାକ୍ତ ଧୂଅଁାର ବଳୟ ସହରବାସୀଙ୍କୁ ଅଣନିଃଶ୍ୱାସୀ କରିଦେଉଥିବା ଅଭିଯୋଗ ହେଉଛି।
ଅନୁଗୋଳ ପୌରାଞ୍ଚଳରୁ ଅଳିଆ ସଫେଇ ପାଇଁ ସହରରେ ୩୦ରୁ ଊର୍ଦ୍ଧ୍ୱ ଗାଡ଼ି ବୁଲୁଛି। ସେଥିମଧ୍ୟରୁ ୨୪ଟି ଗାଡ଼ି ଘର ଘର ବୁଲି ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରୁଛି। କଲୋନୀଗୁଡ଼ିକ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ମଧ୍ୟ ଆବର୍ଜନା ନିଆଯାଉଛି। କିନ୍ତୁ ରାସ୍ତା ପାର୍ଶ୍ୱରେ ଗଦା ହେଉଥିବା ଅଳିଆକୁ ନେଇ ଡମ୍ପିଂୟାର୍ଡକୁ ଯିବା ପରିବର୍ତ୍ତେ କେତେଜଣ ସଫେଇ କର୍ମଚାରୀ ସେଥିରେ ନିଅଁା ଲଗାଇ ଦେଉଛନ୍ତି। ସେହିପରି ବହୁ ବ୍ୟବସାୟୀ ଦୋକାନରୁ ବାହାରୁଥିବା ଆବର୍ଜନା ସଫେଇ କର୍ମଚାରୀଙ୍କୁ ହସ୍ତାନ୍ତର ନ କରି ପୋଡ଼ି ଦେଉଥିବା ଚିତ୍ର ମଧ୍ୟ ନଜରକୁ ଆସୁଛି। ପୌରପାଳିକା ପକ୍ଷରୁ ଏ ନେଇ ତାଗିଦ୍‌ କରିବା କି ଜରିମାନା ଆଦାୟ କରାଯାଉ ନ ଥିବାରୁ ଏହି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ସହରୀ ଲୋକମାନଙ୍କ ସ୍ବାସ୍ଥ୍ୟ ପାଇଁ ଏହି ଧୂଅଁା ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ପ୍ରାତଃଭ୍ରମଣ କରୁଥିବା ବରିଷ୍ଠ ନାଗରିକମାନେ ଏ ନେଇ ବାରଣ କରୁଥିଲେ ମଧ୍ୟ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଉ ନାହିଁ। ଅମଲାପଡ଼ାର ଏକ ଅଳିଆ ଗଦାରେ ସଫେଇ କର୍ମଚାରୀମାନେ ନିଅଁା ଲଗାଇବାରୁ ଅଞ୍ଚଳରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା। ଏ ନେଇ ପୌର କାର୍ଯ୍ୟାଳୟରେ ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ତେଣୁ ସହରର ପରିବେଶକୁ ବିଷାକ୍ତ କରୁଥିବା ଏପରି ସଫେଇ କର୍ମଚାରୀଙ୍କୁ ତାଗିଦ୍‌ କରାଯିବାକୁ ସାଧାରଣରେ ଦାବି ହେଉଛି। ଘଟଣା ସମ୍ପର୍କରେ ପୌର କର୍ତ୍ତୃପକ୍ଷ କହିଛନ୍ତି, ଏ ନେଇ ସଚେତନ ସହ ତାଗିଦ୍‌ କରାଯାଉଛି। ଆଗକୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଠିକା ସଂସ୍ଥାକୁ ତାଗିଦ୍‌ କରାଯିବ।