ଅନ୍ଧାରରେ ରଥସାହି ଛକ, ଗୁରୁତ୍ୱ ଦେଉନାହିଁ ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର,୨୮।୮ (ସୀମାଞ୍ଚଳ ମିଶ୍ର): ଆଉ ମାତ୍ର ଦୁଇଦିନ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି। ହେଲେ ସହରର ମୁଖ୍ୟ ରଥସାହି ଛକ ଦୀର୍ଘ ଚାରିମାସରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ଧକାରରେ ରହିଥିଲେ ମଧ୍ୟ ଏଥିପ୍ରତି ଏନସି ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ କିମ୍ବା କୌଣସି ଜନପ୍ରତିନିଧି କାହାରି ନଜର ପଡୁ ନ ଥିବା ଚିନ୍ତାର ବିଷୟ ପାଲଟିଛି। ଏହିସ୍ଥାନଟି ଜନଗହଳିପୂର୍ଣ୍ଣ ଓ ଆସିକା-ହୁମ୍ମା ମୁଖ୍ୟ ରାସ୍ତା ହୋଇଥିବା ହେତୁ ଏଠାରେ ବାରମ୍ବାର ଦୁର୍ଘଟଣା ସହ ବିଭିନ୍ନ ସମସ୍ୟାମାନ ଦେଖାଦେଉଛି। ଏହାକୁ ରୋକିବା ଲାଗି ଗତ ତିନିବର୍ଷ ତଳେ ଏଠାରେ ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ହାଇମାକ୍ସ ପୋଷ୍ଟ ନିର୍ମାଣ କରାଯାଇ ସେଥିରେ ତିନିଶହ ୱାଟ କ୍ଷମତା ସମ୍ପୂର୍ଣ୍ଣ ଛଅ ଗୋଟି ଲାଇଟ ଲଗାଯାଇ ଆଲୋକୀକରଣ କରାଯାଇଥିଲା। ମାତ୍ର ଏହା ଖରାପହେବା ପରେ ତାହାକୁ ବଦଳାଇ ସମ୍ପୂର୍ଣ୍ଣ ନିମ୍ମମାନର ଲାଇଟ ତିନିଗୋଟି ଲଗାଯାଇଥିଲା ଯାହାକି ସେହି ଲାଇଟମାନ ଦୀର୍ଘ ଛଅ ମାସ ହେଲା ଗୋଟାଏ ପରେ ଗୋଟାଏ ପୋଡି ନଷ୍ଟହେବାରେ ଲାଗିଥିବା ବେଳେ ବର୍ତ୍ତମାନ ଚାରିମାସରୁ ଊର୍ଦ୍ଧ୍ୱ ହେଲା ଜଳୁଥିବା ଗୋଟିଏ ମାତ୍ର ଲାଇଟ କେତେବେଳେ ଲାଗୁଛିତ କେକେବଳେ ବନ୍ଦ ହୋଇପଡୁଛି। ଫଳରେ ଆଲୋକୀକରଣ ହୋଇ ନ ପାରି ସମ୍ପୂର୍ଣ ଅନ୍ଧକାର ରହୁଛି। ଯାହାଦ୍ବାରା ଏଠାରେ ଦୁର୍ଘଟଣାମାନ ଘଟିବା ସହ ଜଗନ୍ନାଥ ମନ୍ଦିରରୁ ସନ୍ଧ୍ୟାରେ ଦର୍ଶନଲାଗି ଆସୁଥିବା ମହିଳାମାନେ ବିଭିନ୍ନପ୍ରକାର ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏଥିନେଇ ଜନସାଧାରଣ ଏନ୍‌ଏସି ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି। ଏଣୁ ମହିଳାମାନଙ୍କ ସୁରକ୍ଷା ଓ ଦୁର୍ଘଟଣା ଆଦିପ୍ରତି ଦୃଷ୍ଟି ଦେଇ ଗଞ୍ଜାମ ଜିଲାପାଳ ଏଥିପ୍ରତି ପଦକ୍ଷେପନେବାକୁ ସହରବାସୀ ଦାବିକରିଛନ୍ତି।

Share
Tags: nac