ପାର୍ବଣରେ ଗଞ୍ଜାମ ପୋଲିସର ଚଢ଼ାଉ ଜାରି: ୨୧ ଗିରଫ

ଛତ୍ରପୁର,୧।୧୦(ସନ୍ତୋଷ ପାଢ଼ୀ): ପାର୍ବଣ ଋତୁରେ ଗଞ୍ଜାମ ପୋଲିସ ଜ଼ିଲାରେ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦେଶରେ ବିଭିନ୍ନ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବେଆଇନ ମଦ, ବାଣ ଏବଂ ଜୁଆ ଖେଳ ଉପରେ ଚଢ଼ାଉ ଜାରି ରହିଛି। ଏସମ୍ପର୍କରେ ମିଳିଥିବା ସଫଳତା ନେଇ ଗଞ୍ଜାମ ପୋଲିସ ଜ଼ିଲା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ରାତି ମଧ୍ୟରେ ଏସବୁ ମାମଲାରେ ସମ୍ପୃକ୍ତ ୨୧ ଜଣଙ୍କୁ ପୋଲିସ ଗିରଫ କରିଛନ୍ତି। ଏମାନଙ୍କଠାରୁ ବ୍ୟାପକ ପରିମାଣର ବାଣ, ମଦ ସହ ଜୁଆ ଖେଳରୁ ଟଙ୍କା ଜବତ ହୋଇଛି। ଛତ୍ରପୁର ଥାନା ପୋଲିସ ୬୮୪ ଲିଟର ମଦ ସହ ଟାଟା ମ୍ୟାଜିକ ଗାଡି ଜବତ କରି ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ସେହିପରି ବେଗୁନିଆପଡା ଥାନା ପୋଲିସ ସୁମଣ୍ଡଳଠାରେ ଚଢ଼ାଉ କରି ବ୍ୟାପକ ବେଆଇନ ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।ଏଥିସହ
ଜୁଆ ଖେଳ ଉପରେ ଚଢ଼ାଉ କରି ଜଗନ୍ନାଥପ୍ରସାଦ ଥାନା ପୋଲିସ ୩ ଜଣଙ୍କୁ ଗିରଫ ସହ ସେମାନଙ୍କ ଠାରୁ ୬ ହଜାର ୫୦୦ ଟଙ୍କା ଜବତ କରିଥିବାେଳେ ହିଞ୍ଜିଳି ଥାନା ପୋଲିସ ୧୦ ଜଣଙ୍କୁ ଗିରଫ ସହ ୧୧ ହଜାର ୩୦୦ ଟଙ୍କା ଏବଂ କବିସୂର୍ଯ୍ୟନଗର ଥାନା ପୋଲିସ ୮୭ ହଜାର ୪୦୦ ଟଙ୍କା ଜବତ ସହ ୫ ଜଣଙ୍କୁ ଗିରଫ କରିଛି।