ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ ଅବସ୍ଥାରେ ଅଫିସ ଆସୁଛନ୍ତି। ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଗୁରୁବାର ତାଙ୍କୁ ପ୍ରକୋଷ୍ଠକୁ ଡାକି ତାଗିଦ କରିବାରୁ ସେ ବିଡିଓଙ୍କ ନାଁରେ ପାଟପୁର ଥାନାରେ ଏତଲା ଦେଇଛନ୍ତି। ଏପିଓଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବିଡିଓ ଏନେଇ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ପ୍ରଶାସନିକ ଉଚ୍ଚ ପଦାଧିକାରୀ ବୃନ୍ଦ ଘଟଣାର ତଦନ୍ତ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ର ଉଚ୍ଚ ପଦାଧିକାରୀ ବୃନ୍ଦ ଶନିବାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ନଥିପତ୍ର ଯାଞ୍ଚ କରି ଫେରିଥିବା ଜଣାପଡ଼ିଛି।
ବିଡିଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅରୁଣ କୁମାର ସ୍ବାଇଁ ଗତ ପ୍ରାୟ ୫ ବର୍ରୁ ଊଦ୍ଧର୍ବ ହେଲା ବ୍ଲକ କାର୍ଯ୍ୟାଳୟରେ ଏପିଓ ଭାବେ ନିଯୁକ୍ତ ରହି ବିଭିନ୍ନ ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ନିର୍ଦ୍ଧାରିତ ସମୟରେ ସେ ସରକାରୀ ନଥିପତ୍ର ଦାଖଲ କରୁ ନ ଥିବା କାରଣରୁ ଗୁରୁବାର ସେ ତାଙ୍କୁ ପ୍ରକୋଷ୍ଠକୁ ଡକାଇ କାରଣ ଜାଣିବାକୁ ଚାହିଁଥିଲେ। ମାତ୍ର ସେ ହଠାତ ଉତ୍ତେଜିତ ହୋଇ ତାଙ୍କୁ ଆସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହ ଗାଳି ଗୁଲଜ କରି ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ। ଏଥିରୁ ନିବୃତ୍ତ ହେବାପାଇଁ ବିଡ଼ିଓ କହିଥିଲେ ମଧ୍ୟ ସେ ଖାତିର କରିନଥିଲେ।
ଅପରପକ୍ଷରେ ଏପିଓଙ୍କ ଏତଲା ମୁତାବକ, ଘଟଣାଦିନ ବିଡ଼ିଓ ତାଙ୍କ ପ୍ରକୋଷ୍ଠକୁ ଡକାଇ ତାଙ୍କ ମୋବାଇଲ ଫୋନକୁ ମାଗିଥିଲେ। ସେ ନଦେବାରୁ ଜବରଦସ୍ତ ଛଡାଇ ନେବାକୁ ଉଦ୍ୟମ କରିଥିଲେ। ବେକକୁ ଚାପି ଦେବାରୁ ସେ ତାଙ୍କୁ ଠେଲି ଦେଇଥିଲେ। ପରେ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବିନା କାଗଜ ପତ୍ରରେ ବିଡ଼ିଓ ମେଟେରିଏଲ ବିଲ କରିବାକୁ କହିଥିଲେ। ସେ ମନା କରିବାରୁ ବିଡ଼ିଓ ତାଙ୍କୁ ଦୀର୍ଘଦିନ ହେଲା ଅତ୍ୟାଚାର କରୁଥିବା ଏତଲାରେ ଉଲ୍ଲେଖ ରହିଛି। ଏନେଇ ବିଡ଼ିଓ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିରୋଧରେ ଦିଆଯାଇଥିବା ଏତଲା ସମ୍ପୂର୍ଣ୍ଣ ନିରାଧାର ଓ ଅସତ୍ୟ ବୋଲି ଉଲ୍ଲେଖ କରିଛନ୍ତି। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କୁ ପଚାରିବାରୁ ବିଡ଼ିଓଙ୍କ ନାଁ ରେ କୌଣସି ମାମଲା ରୁଜୁ କରାଯାଇ ନ ଥିବା କହିଛନ୍ତି।
Dharitri – Odisha’s No.1 Odia Daily