ପ୍ରସୂତି ସହ ନବଜାତକଙ୍କ ମୃତ୍ୟୁ ଘଟଣା: ନର୍ସିଂହୋମ ସିଲ୍‌ କଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ସାହାରା ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ ତାରିଖ ବିଳମ୍ବିତ ସାରେ ଜଣେ ପ୍ରସୂତି ଏବଂ ନବଜାତକ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲା ଅତିରିକ୍ତ ଚିକିତ୍ସାଧିକାରୀ, ଡ୍ରଗସ ଇନ୍ସପେକ୍ଟର, ଦିଗପହଣ୍ଡି ପୋଲିସ ଟିମ ଉପସ୍ଥିତିରେ ଉକ୍ତ ନର୍ସିଂ ହୋମକୁ ସିଲ କରାଯାଇଥିବା ଜଣାପଡିଛି।
ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁରର ମାଗୁଣି ନାୟକଙ୍କ ଝିଅ ରୋଜି ପ୍ରାୟ ବର୍ଷକ ପୂର୍ବେ ପାଟପୁର ଥାନା କରାଖଣ୍ଡି ଗ୍ରାମର ଉଦୟ ନାୟକଙ୍କ ପୁଅ ବାବୁ ନାୟକଙ୍କୁ ବିବାହ କରିଥିଲେ। ବାବୁ ଗୁଜୁରାଟ ବରୋଦା ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ରୋଜି ଗର୍ଭବତୀ ହେବା ପରେ ସିଙ୍ଗପୁର ଗ୍ରାମର ବାପଘରେ ରହୁଥିଲେ। ସେ ପ୍ରାୟ ୯ ମାସର ଗର୍ଭବତୀ ଥିଲେ। ମେ’ ୧୧ ତାରିଖ ମଧ୍ୟାହ୍ନରେ ପେଟରେ ଯନ୍ତ୍ରଣା ହେବାରୁ ବାପଘର ଲୋକେ ତାଙ୍କୁ ଉକ୍ତ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅଲଟ୍ରା ସାଉଣ୍ଡ କରାଯାଇଥିଲା। ଅପରାହ୍ନରେ ପ୍ରସବ ବେଦନା ଅଧିକ ହେବାରୁ ଉପସ୍ଥିତ ନର୍ସିଂହୋମ କର୍ମଚାରୀ ତାଙ୍କ ପ୍ରସବ କରାଇବା ପାଇଁ ରୋଜିଙ୍କ ପରିବାରଲୋକଙ୍କୁ କହିଥିଲେ। ସେଠାରେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ତାଙ୍କୁ ପ୍ରସବ ପାଇଁ ନର୍ସିଂହୋମ ର ଅପରେସନ ଥିଏଟରକୁ ନିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୬ ଟାରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ବାବୁଙ୍କ ଶାଶୁ ମମତା ନାୟକଙ୍କୁ ଡାକି ତାଙ୍କୁ ଏକ ମୃତ ଶିଶୁପୁତ୍ର ଦେଇଥିଲେ। ରାତି ପ୍ରାୟ ୧୦ ଟାରେ ରୋଜିଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଜିଙ୍କ ପରିବାର ଲୋକଙ୍କୁ ନ ଜଣାଇ ତାଙ୍କ ଅବସ୍ଥା
ସଙ୍କଟାପନ୍ନ ଥିବା ଦର୍ଶାଇ ୧୦୨ ଆମ୍ବୁଲାନ୍ସ ଡ଼କାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନର୍ସିଂହୋମରେ କୌଣସି ଡ଼ାକ୍ତରଙ୍କ ଅନୁପସ୍ଥିତିରେ ଅନଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ତାଙ୍କ ସ୍ତ୍ରୀଦ୍‌ଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ସମ୍ପୃକ୍ତ ଥିବା ନର୍ସିଂହୋମ ମାଲିକ, ଅପରେସନ କରିଥିବା ନର୍ସିଂହୋମର ଡାକ୍ତର, ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ପ୍ରମୁଖଙ୍କ ଅବହେଳାରୁ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ ମୃତ୍ୟୁ ଘଟିଥିବା ବାବୁ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଡେଙ୍ଗାଓସ୍ତା ଗ୍ରାମ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠ ନଗର ୪ର୍ଥ ଲେନରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକଙ୍କୁ ଗତ ମେ ୧୯ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ।