Categories: ଜାତୀୟ

‘ଗଙ୍ଗା ଜଳ ଗୋଧୋଇବା ଯୋଗ୍ୟ ନୁହେଁ’: ବଡ ଦାବି କଲେ ବିହାର ସରକାର

ପାଟନା, ୨।୩: ବିହାରର ଅଧିକାଂଶ ସ୍ଥାନରେ ଗଙ୍ଗା ନଦୀର ଜଳ ଗାଧୋଇବା ଉପଯୁକ୍ତ ନୁହେଁ। ନିକଟରେ ବିହାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁଯାୟୀ, ରାଜ୍ୟର ଅଧିଂକାଶ ସ୍ଥାନରେ ଗଙ୍ଗା ନଦୀର ଜଳରେ ଅଧିକ ମାତ୍ରାରେ ବ୍ୟକ୍ଟେରିଆର ଉପସ୍ଥିତି ଯୋଗୁ ଏହା ଗାଧୋଇବା ପାଇଁ ଅନୁପଯୁକ୍ତ। ମୂଖ୍ୟତଃ ଗଙ୍ଗା ଓ ଏହାର ଉପ ନଦୀଗୁଡ଼ିକର କୂଳରେ ଥିବା ସହରରୁ ଘରୋଇ ବର୍ଜ୍ୟବସ୍ତୁ ନିର୍ଗତ ଯୋଗୁ ଗଙ୍ଗା ନଦୀର ଜଳରେ ବ୍ୟାକ୍ଟେରିଆର ମାତ୍ରା ଅଧିକ ରହିଥିବା ନେଇ ଏହି ରିପୋର୍ଟରେ ଉଲ୍ଲେଖ ରହିଛି।

ବିହାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ବିଏସ୍‌ପିସିବି)ର ଅଧ୍ୟକ୍ଷ ଡି.କେ. ଶୁକ୍ଳା କହିଛନ୍ତି, ରାଜ୍ୟର ଅଧିକାଂଶ ସ୍ଥାନରେ ଥିବା ଗଙ୍ଗା ନଦୀର ଜଳରେ ବ୍ୟାକ୍ଟେରିଆର ମାତ୍ରା ଅଧିକ ରହିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ନଦୀ ଉପକୂଳିଆ ସହରର ଘରୋଇ ବର୍ଜ୍ୟବସ୍ତୁ ଗଙ୍ଗା ନଦୀକୁ ପ୍ରବାହିତ ହେଉଥିବାରୁ ନଦୀ ଜଳରେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ଦେଖିବାକୁ ମିଳୁଛି। ଏହାର ସ୍ତର ଯେତେ ଅଧିକ ହେବ ପାଣିରେ ରୋଗ ସୃଷ୍ଟି କରୁଥିବା ମାଇକ୍ରୋବ୍‌ର ଉପସ୍ଥିତି ମଧ୍ୟ ସେତେ ଅଧିକ ହେବ। ରାଜ୍ୟର ୩୪ଟି ସ୍ଥାନରେ ବିଏସ୍‌ପିସିବି ଗଙ୍ଗା ନଦୀ ଜଳର ଗୁଣବତ୍ତାକୁ ପ୍ରତି ୨ ସପ୍ତାହକୁ ଥରେ ଯାଞ୍ଚ କରିଥାଏ ବୋଲି ସେ କହିଛନ୍ତି।

Share
Tags: ganga river