ବେଙ୍ଗାଲୁରୁ,୪ା୧: କର୍ନାଟକର ହୁବ୍ଲିରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ୩ ଜଣ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବୟସ ୧୪ରୁ ୧୫ ବର୍ଷ ମଧ୍ୟରେ ଓ ସେମାନେ ନାବାଳିକାଙ୍କ ଘର ପାଖରେ ରହୁଥିଲେ ବୋଲି ପୋଲିସ କହିଛି। ନାବାଳିକାଙ୍କ ମା’ବାପା ଘରେ ନ ଥିଲାବେଳେ ଅଭିଯୁକ୍ତମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଣବଳାତ୍କାର କରିଥିଲେ। ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଯୌନ ନିର୍ଯାତନା ବେଳର ଭିଡିଓ ରେକର୍ଡ କରିଥିବା ଦାବି କରିବା ସହ ତାଙ୍କୁ ଧମକ ଦେଇଥିଲେ ବୋଲି ନାବାଳିକାଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ୍ ଜବତ କରିବା ସହ ତଦନ୍ତ ଚଳାଇଛି।