ମୁମ୍ବାଇ: ଶୁକ୍ରବାର ପ୍ରେକ୍ଷାଳୟକୁ ଆସିଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଗାନ୍ଧୀ ଟକ୍ସ’। ଏହି ଚଳଚ୍ଚିତ୍ରଟି ବିନା ସଂଳାପରେ ଗତିଶୀଳ ଏକ ‘ସାଇଲେଣ୍ଟ ଫିଲ୍ମ’। ଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ରହିଛି। ବିଜୟ ସେତୁପତି, ଅଦିତି ରାଓ ହାଇଦରି ଏବଂ ଅରବିନ୍ଦ ସ୍ଵାମୀଙ୍କ ଭଳି ଦକ୍ଷ କଳାକାରଙ୍କ ଅଭିନୟକୁ ନେଇ ସୋସିଆଲ ମିଡିଆରେ ପଜିଟିଭ୍ ରିଭ୍ୟୁର ବନ୍ୟା ଛୁଟିଛି।
କିଶୋର ପାଣ୍ଡୁରଙ୍ଗ ବେଲେକରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଦୁଇଟି ଭିନ୍ନ ସ୍ଥିତିର ମଣିଷଙ୍କୁ ନେଇ ଗତିଶୀଳ। ମୁମ୍ବାଇ ବସ୍ତିରେ ରହୁଥିବା ଜଣେ ବୃଦ୍ଧାଙ୍କ ସେବା କରୁଥିବା ବିଜୟ ସେତୁପତିଙ୍କୁ ଏକ ସରକାରୀ ଚାକିରି ପାଇଁ ୫୦,୦୦୦ ଟଙ୍କାର ଆବଶ୍ୟକତା ରହିଛି। ଅନ୍ୟପଟେ, ଜଣେ କୋଟିପତି ବ୍ୟବସାୟୀ (ଅରବିନ୍ଦ ସ୍ଵାମୀ) ଶତ୍ରୁଙ୍କ ଷଡ଼ଯନ୍ତ୍ର ଯୋଗୁଁ ସର୍ବସ୍ୱ ହରାଇ ଗଭୀର ଋଣରେ ବୁଡ଼ି ରହିଛନ୍ତି। ଏହି ଦୁଇ ଚରିତ୍ରଙ୍କ ସଂଘର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପରସ୍ପରକୁ କିଭଳି ଭେଟୁଛି, ତାହା ଚଳଚ୍ଚିତ୍ରରେ ଦର୍ଶାଯାଇଛି।
ବିଜୟ ସେତୁପତିଙ୍କ ସ୍ୱାଭାବିକ ଅଭିନୟ ଏବଂ ଭାବପୂର୍ଣ୍ଣ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି। ବିଶେଷ କରି ଶ୍ରୀକୃଷ୍ଣ ବେଶରେ ତାଙ୍କର ଝଲକ ବେଶ୍ ଆକର୍ଷଣୀୟ ହୋଇଛି। ସେହିପରି ଅରବିନ୍ଦ ସ୍ଵାମୀଙ୍କ ଗମ୍ଭୀର ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା ମିଳୁଛି।
ସଂଳାପ ନ ଥିବା ଏହି ଚଳଚ୍ଚିତ୍ରର ଅସଲ ମେରୁଦଣ୍ଡ ସାଜିଛି ଏ.ଆର. ରହମାନଙ୍କ ସଙ୍ଗୀତ। ତାଙ୍କର ବ୍ୟାକଗ୍ରଉଣ୍ଡ ସଙ୍ଗୀତ କାହାଣୀର ଭାବନାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି।
ଅରବିନ୍ଦ ସ୍ଵାମୀଙ୍କ ଘରେ ବିଜୟଙ୍କ ଚୋରି କରିବା ଦୃଶ୍ୟ ଏବଂ ଉଭୟଙ୍କ ମଧ୍ୟରେ ହୋଇଥିବା ପ୍ରଥମ ଭେଟକୁ ଫିଲ୍ମର ଶ୍ରେଷ୍ଠ ଦୃଶ୍ୟ ଭାବେ ଗଣାଯାଉଛି।