ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ ଗଣପର୍ୱ। ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ଥର ଆସିଥିଲେ ୧୯୨୮ ଓ ୧୯୩୪ ମସିହାରେ। ୧୯୨୮ ମସିହାରେ ଗାନ୍ଧିଜୀ ପ୍ରଥମଥର ଝାରସୁଗୁଡ଼ା ରେଳ ଷ୍ଟେଶନରେ ଓହ୍ଲାଇ ସମ୍ୱଲପୁରଠାରେ ମହାନଦୀ ବାଲିବନ୍ଧରେ ସଭା କରି ଗୋଟିଏ ରାତି ଚନ୍ଦ୍ରଶେଖର ବେହେରାଙ୍କ ଘରେ ରହି ଫେରିଯାଇଥିଲେ। ସେହି ବର୍ଷ ସମ୍ୱଲପୁର (ଅବିଭକ୍ତ) ଜିଲାରେ ଏକ ନୂଆ ଘଟଣା ଘଟିଲା। ସେତେବେଳେ ଜିଲାରେ ଭାଦ୍ରବ ମାସରେ ନୂଆଖିଆ ପାଳନ କରାଯାଉଥିଲା। କିନ୍ତୁ ସେହି ବର୍ଷ କାର୍ତ୍ତିକ ମାସରେ ଲୋକେ ଆଉଥରେ ନୂଅଁାଖିଆ ପାଳିଲେ। ସେହି ନୂଅଁାଖିଆକୁ ଲୋକେ କହିଲେ ଗାନ୍ଧୀ ନୂଆଁଖିଆ। ଖରିଫ ଧାନ କାଟିଲା ପରେ, ବର୍ଷା ପରେ ନଡ଼ାରୁ ଆଉଥରେ ଧାନଗଛ ଉଠିଲା ଓ ଫଳିଲା। ସେହି ଧାନକୁ ମଧ୍ୟ କୃଷକମାନେ ଅମଳ କଲେ। ତାହାକୁ ଗାନ୍ଧିଜୀ ନୂଅଁାଖାଇ ଅନ୍ନ ଭାବେ ଖାଇଲେ। ୧୯୨୧ ଏପ୍ରିଲ ୨୬ ତାରିଖରେ ପ୍ରଥମ ପ୍ରଦେଶ କଂଗ୍ରେସ ସଭାପତି ଭାବରେ ଗୋପବନ୍ଧୁ ଦାସ ଝାରସୁଗୁଡ଼ା ଆସି ରାଜ୍ୟର ପ୍ରଥମ କଂଗ୍ରେସ ଅଫିସ ମୁଙ୍ଗାପଡ଼ାର ବିହାରୀ ରାମ ତନ୍ତ୍ରୀ (୧୯୩୪ ବିହାରୀ ରାମଙ୍କ ଘରେ ରାତ୍ରିଯାପନ କରିଥିଲେ), ଚୌକିପଡ଼ାର ମହାବୀର ସିଂହଙ୍କ ଘରେ ଓ ଚିନ୍ତାମଣି ପୂଝାରୀଙ୍କ ପାଞ୍ଚପଡ଼ା ଗ୍ରାମରେ କଂଗ୍ରେସ ଅଫିସ ଖୋଲିବାର ବ୍ୟବସ୍ଥା କଲେ। ଗାନ୍ଧିଜୀଙ୍କ ବାଣୀ ଏକାଦଶବ୍ରତ, କାର୍ଯ୍ୟ ଯେମିତି କି ନିଶା ନିବାରଣ, ଅସ୍ପୃଶ୍ୟତା ନିବାରଣ, ବିଦେଶୀ ବସ୍ତ୍ର ବର୍ଜନ, ଚରଖାରେ ସୂତା କାଟିବା, ମହିଳା ଶିକ୍ଷାର ବିକାଶ, କପାଚାଷ ଓ ସମବାୟ ଆଦି କାର୍ଯ୍ୟ ଜିଲା କଂଗ୍ରେସ ସଭାପତି ଚିନ୍ତାମଣିଙ୍କ ନେତୃତ୍ୱରେ ଜୋରସୋରରେ ଚାଲିଲା, ଯାହାଫଳରେ ସମ୍ୱଲପୁର ଜିଲାରେ ୪୮୦୦ ପ୍ରତ୍ୟକ୍ଷ କଂଗ୍ରେସ କର୍ମୀଙ୍କ ମଧ୍ୟରୁ କେବଳ ୨୦୦୦ରୁ ଅଧିକ କର୍ମୀ ସେମାନେ ପ୍ରସ୍ତୁତ ହୋଇ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟରେ ଲାଗିପଡ଼ିଲେ। ୧୯୨୭ ମସିହାରେ ପୁନର୍ୱାର ଗୋପବନ୍ଧୁ ଝାରସୁଗୁଡ଼ା ଆସି ମହାନଦୀର ପଉନଦୀ ଇରାବତୀ (ଇବ୍) ନଦୀ କୂଳସ୍ଥ ଗାନ୍ଧୀ ବିଚାରର ପ୍ରୟାଗଶାଳା ଭାବେ ପରିଚିତ ହୋଇଥିବା ପଞ୍ଚପଡ଼ା ଗ୍ରାମର ସମସ୍ତ କାର୍ଯ୍ୟ ଦେଖି ଅଭିଭୂତ ହେଲେ। ଏହାର ପ୍ରଭାବ ଜିଲାରେ ପଡ଼ିଲା। ସବୁ ବର୍ଗରୁ ଶହ ଶହ ଲୋକ ଏକତ୍ର ହୋଇ ହାତରେ ତମ୍ୱା, ତୁଳସୀ ଓ ଶାଳଗ୍ରାମ ଧରି ଶପଥ କରି ନିଶା ପୂରା ଛାଡ଼ିଦେଲେ। ଯାହାଫଳରେ ମଦ ଭାଟିଗୁଡ଼ିକ ବନ୍ଦ ହୋଇଗଲା। ଏହି କାରଣରୁ ରାଜସ୍ୱ କମିଯିବାରୁ ତତ୍କାଳୀନ ଡି.ସି. (ଆଜିର ଜିଲାପାଳ) ଜନଷ୍ଟଙ୍କ ସାହେବଙ୍କୁ ୧୯୩୦ ମସିହାରେ ଚାକିରିରୁ ନିଲମ୍ୱିତ ହେବାକୁ ପଡ଼ିଲା। ଗାନ୍ଧୀ ଏକଥା ଶୁଣି ପ୍ରଶଂସା କରି କହିଲେ, ‘ସାରା ଦେଶ ମୈ ଐସା ହୋନା ଚାହିଏ’।
୧୯୩୯ ମସିହା ଚିନ୍ତାମଣି ପୂଝାରୀ, କମଳଲୋଚନ ଲୋଇ, ଯୋଗେନ୍ଦ୍ର ପଟେଲ ଓ କଷ୍ଟରାମ ତନ୍ତ୍ରୀଙ୍କ ନେତୃତ୍ୱରେ ଦଳିତ ଗଣ୍ଡ, ଘାସି, ପାବ ଓ ମେଉଁଟ (ହରିଜନ) ସମ୍ପ୍ରଦାୟର ଲୋକମାନେ ପଞ୍ଚପଡ଼ାର ପୁରାତନ ଜଗନ୍ନାଥ ମନ୍ଦିରକୁ ପ୍ରବେଶ କଲେ (ହରିଜନ ମନ୍ଦିର ପ୍ରବେଶ)। ଏହା ସାରା ଦେଶରେ ଚହଳ ପକାଇଥିଲା। କପାଚାଷରୁ ସୂତାକଟା ଏବଂ ଖଦି ବସ୍ତ୍ରର କାର୍ଯ୍ୟ ଏକ ଗଣକାର୍ଯ୍ୟରେ ପରିଣତ ହୋଇଥିଲା। ସ୍ୱାଧୀନ ଭାରତ ନାମକ ଏକ ମୁକାକାମି ପତ୍ରିକା ମଧ୍ୟ ପ୍ରକାଶ କରାଗଲା। ଏସବୁ କାର୍ଯ୍ୟ କରୁଥିବା ଲୋକଙ୍କୁ ବହୁତ ପ୍ରତିକୂଳ ପରିସ୍ଥିତି ଦେଇ ଯିବାକୁ ପଡ଼ୁଥିଲା। ଏମାନଙ୍କୁ ନିଅଁା ପାଣି ବାସନ୍ଦ, ପୋଖରୀ ଘାଟ ବ୍ୟବହାର କରିବାକୁ ବାରଣ ଥିଲା। ଏହି ସଂସ୍କାର କାର୍ଯ୍ୟ କରୁଥିବା ଲୋକମାନେ ଯେଉଁ ପୋଖରୀ ଘାଟକୁ ଯାଇ ବ୍ୟବହାର କରୁଥିଲେ ତାକୁ ବିରୋଧୀମାନେ ଗାନ୍ଧୀଘାଟ ବା କଂଗ୍ରେସ ଘାଟ କହୁଥିଲେ। ଏହି ଅଞ୍ଚଳଗୁଡ଼ିକରେ ଗାନ୍ଧୀ ଆଦର୍ଶରେ ପରିଚାଳିତ ସଂସ୍କାରକମାନେ ଅଲଗା ନୂଅଁାଖାଇ କଲେ। ଏହି ନୂଆଁଖାଇରେ ସବୁ ଜାତି ଧର୍ମର ଲୋକ ଏକତ୍ର ହୋଇ ଘରୁ ଘରୁ ଚାଉଳ ଆଣି ଗୋଟିଏ ହାଣ୍ଡିରେ ପକାଇ ରୋଷେଇ କରୁଥିଲେ। ଯାହାକୁ ସମସ୍ତ ବର୍ଗ ଲୋକ ଏକତ୍ର ବସି ଭୋଜନ କରୁଥିଲେ । ତାହାକୁ ମଧ୍ୟ ବିରୋଧୀ ଲୋକମାନେ ଗାନ୍ଧୀ ନୂଅଁାଖାଇ କହିଲେ । ଏହି ସଂସ୍କାରମୂଳକ ଆଦର୍ଶକୁ ମନେପକାଇ ଚଳିତ ମାସ ୨୧ ତାରିଖ (ଡିସେମ୍ୱର)ରେ ପଞ୍ଚପଡ଼ା ଝାରସୁଗୁଡ଼ାଠାରେ ଗାନ୍ଧୀ ନୂଅଁାଖାଇ ଭେଟଘାଟର ଆୟୋଜନ କରାଯାଇଥିଲା। ଯାହା ଏକ ସଂହତି ଓ ସମଭାବର ବାର୍ତ୍ତା ପ୍ରେରଣ କରିବ।
ମୋ: ୯୪୩୭୮୧୮୨୩୩