ଖଲ୍ଲିକୋଟ,୯ା୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଶାସନରେ କୃଷିଭିତ୍ତିକ ପର୍ବ ଗହ୍ମାପୂର୍ଣ୍ଣିମା ଓ ଗୋପୂଜନ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସରରେ ୮୦ ବର୍ଷରୁ ଊଦ୍ଧର୍ବ ବୟସ୍କଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଶାସନ ଯୁବକମାନଙ୍କ ନିଜସ୍ବ ଚେଷ୍ଟାରେ ଗ୍ରାମରେ ଥିବା ଚନ୍ଦ୍ରଶେଖର ଓ ମା’ ଦୁର୍ଗାଦେବୀଙ୍କ ମନ୍ଦିର ନିକଟରେ ନୂତନ ଭାବେ ନିର୍ମିତ ଗୋ’ଶାଳାର ଶୁଭାରମ୍ଭ ହୋଇଛି। ପ୍ରାତଃ ସମୟରେ ଗାଈ ବାଛୁରୀଙ୍କୁ ସ୍ନାନ କରାଇ ହଳଦୀ, ଚନ୍ଦନ, ସିନ୍ଦୂର, ଫୁଲରେ ସଜାଇ ପୂଜକ ସନ୍ତୋଷ ଦାଶ ବିଧିମୁତାବକ ପୂଜାର୍ଚ୍ଚନା କରିଥିଲେ।
ସେଠାରେ ଶାସନର ୮୦ ବର୍ଷରୁ ଊଦ୍ଧର୍ବ ବୟସ୍କ ବ୍ରାହ୍ମଣ ଗୋସାଇଁ ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ରଥ, ଗୋଦାବରୀଶ ପଣ୍ଡା, ସୁବାସ ରଥ, ପଦ୍ମନାଭ ରଥ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଏଠାରେ ପଶୁ ବିଭାଗର(ଏଲଆଇ) ମନୋଜ କୁମାର ସାହୁ, (ମୟତ୍ରୀ) ପ୍ରବୀଣ କୁମାର ବେହେରା ଉପସ୍ଥିତ ଥିଲେ।
ସେହିପରି ଗ୍ରାମର ହେମନ୍ତ କୁମାର ରଥ, ପ୍ରଭାତ ଶିଶିର ପଣ୍ଡା, ଲକ୍ଷ୍ମଣ କୁମାର ରଥ, ସାରଦା ପ୍ରସାଦ ନନ୍ଦ, ଶେଖର ତରେଇ, ଅନାଥ ଗୌଡ଼ ,ସୈରା ଗୌଡ଼, ରାଘବ ଗୌଡ଼, ସୁଦର୍ଶନ ସାହୁ ପ୍ରମୁଖ ଏହାର ପରିଚାଳନା କରିଥିଲେ। କେଶପୁର କାମଧେନୁ ସେବା ଆଶ୍ରମର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଗୋରୁଙ୍କ ସୁରକ୍ଷା ବିଷୟରେ ଆଲୋଚନା ହୋଇଥିଲା। ସେହିପରି ମଧ୍ୟାହ୍ନରେ ଗହ୍ମାଖଳାରେ ବଳଭଦ୍ରଙ୍କ ମୃଣୟ ମୂର୍ତ୍ତିଙ୍କୁ ପଣ୍ଡିତ ଶରତ ଚନ୍ଦ୍ର ରଥ ପାରମ୍ପରିକ ବିଧିମୁତାବକ ପୂଜାର୍ଚ୍ଚନା କରିଥିଲେ।