‘ଫତେହ’କୁ ପଛରେ ପକାଇଲା ‘ଗେମ୍‌ ଚେଞ୍ଜର’

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କ ‘ଫତେହ’ ଓ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ‘ଗେମ୍‌ ଚେଞ୍ଜର’ ଶୁକ୍ରବାର ଏକସଙ୍ଗେ ବକ୍ସ ଅଫିସରେ ରିଲିଜ୍‌ ହୋଇଥିଲା। ତେବେ ରିଲିଜ୍‌ ହେବାର ପ୍ରଥମ ଦିନ ସୋନୁଙ୍କ ‘ଫତେହ’ ଦର୍ଶକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିପାରି ନାହିଁ। ବିଭିନ୍ନ ରିପୋର୍ଟ ଅନୁଯାୟୀ, ‘ଫତେହ’ ରିଲିଜ୍‌ ହେବାର ପ୍ରଥମ ଦିନରେ ସାରା ଦେଶରେ ମାତ୍ର ୨.୪୫ କୋଟି ଟଙ୍କାର ରୋଜଗାର କରିଛି। ତେବେ ୱିକ୍‌ଏଣ୍ଡ ଥିବାରୁ ଫିଲ୍ମ ହଲ୍‌ଗୁଡିକରେ ଅଧିକ ଦର୍ଶକ ‘ଫତେହ’ ଦେଖିବାକୁ ଆସିବେ ବୋଲି ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଆଶା କରାଯାଉଛି। ସେପଟେ ରାମଚରଣଙ୍କ ‘ଗେମ୍‌ ଚେଞ୍ଜର’ ରିଲିଜ୍‌ ହେବାର ପ୍ରଥମ ଦିନ ୭୬ କୋଟି ଟଙ୍କା ରୋଜଗାର କରିଛି। ଦେଶବ୍ୟାପୀ ଏହି ଫିଲ୍ମ ୬୦ କୋଟିର ବେପାର କରିଥିବା ବେଳେ ବିଦେଶରୁ ୧୬ କୋଟିର ବ୍ୟବସାୟ କରିଛି। ‘ଗେମ୍‌ ଚେଞ୍ଜର’ ଫିଲ୍ମ ସହ ବକ୍ସ ଅଫିସ୍‌ କ୍ଲାସ ହୋଇଥିବାରୁ ସୋନୁଙ୍କ ‘ଫତେହ’କୁ କ୍ଷତି ସହିବାକୁ ପଡ଼ିଛି ବୋଲି ପ୍ରଥମ ଦିନର ବକ୍ସ ଅଫିସ ତଥ୍ୟ ଆସିବା ପରେ ଫିଲ୍ମ ସମୀକ୍ଷକମାନେ କହିଛନ୍ତି। ପ୍ରକାଶ ଯେ, ‘ଫତେହ’ ଏକ ଆକ୍ସନ୍‌ ଡ୍ରାମା ଚଳଚ୍ଚିତ୍ର ହୋଇଥିବାବେଳେ ଏଥିରେ ସୋନୁ ପ୍ରଥମଥର ନିର୍ଦ୍ଦେଶନା ଦେଉଥିବାର ନଜରକୁ ଆସିଛନ୍ତି। ଫିଲ୍ମରେ ସୋନୁଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ୍‌ ଓ ଅଭିନେତା ନାସିରୁଦ୍ଦିନ ଶାହା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିଛନ୍ତି। ଅନ୍ୟପକ୍ଷରେ ‘ଗେମ୍‌ ଚେଞ୍ଜର’ ଫିଲ୍ମରେ ରାମ ଚରଣଙ୍କ ବିପକ୍ଷରେ ଅଭିନେତ୍ରୀ କିଆରା ଆଡ୍‌ଭାନୀ ନଜରକୁ ଆସିଛନ୍ତି।