ଜୁଆ ଖେଳରୁ ଗଣ୍ଡଗୋଳ: ଗଡ଼ିଲା ଜଣଙ୍କ ମୁଣ୍ଡ

ଧରାକୋଟ,୧୦।୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମରେ ଋଷିକୁଲ୍ୟା ନଦୀ ପଠାରେ ଦୀର୍ଘ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା। ଗ୍ରାମର କିଛି ଯୁବକ ଏହାକୁ ନିୟନ୍ତ୍ରଣ କରି ଚଳାଇଥିବା ବେଳେ ଗତ ରାତିରେ ଟଙ୍କା ଭାଗ ବଣ୍ଟାକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ କାଳିଆ ରେଡ୍ଡୀ(୩୦) ନାମକ ଜଣେ ଯୁବକ ଆହତ ହୋଇଥିଲେ। ତାଙ୍କୁ ନିକଟସ୍ଥ ଆସିକା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ହିଞ୍ଜିଳି ନିକଟରେ କାଳିଆଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଧରାକୋଟ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଏ ଘଟଣାରେ ସମ୍ପୁକ୍ତ ଥିବା ଅପରାଧୀ ଧରା ପଡ଼ିବେ ବୋଲି ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ କହିଛନ୍ତି ।