ଭଞ୍ଜନଗର,୧୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଂଚଳରେ ଏବେବି ଜୁଆ ଖେଳ ଥମିବାକୁ ନାହିଁ। ରବିବାର ରାତିରେ ପୋଲିସ ଭେରେଡାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪୩ ହଜାର ୮୪୦ ଟଙ୍କା, ୧୧ଟି ମୋବାଇଲ ଫୋନ, ୫ଟି ବାଇକ ଜବତ କରାଯାଇଛି। ଏନେଇ ପୋଲିସ ୧୨୨୪/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ଭେରେଡାରେ ବିଭିନ୍ନ ସମୟରେ ଜୁଆ ଖେଳ ହେଉଛି। ଜୁଆ ଖେଳିବା ପାଇଁ ବିଭିନ୍ନ ଆଡୁ ଲୋକେ ଆସି ସେଠି ଏକାଠି ହୁଅନ୍ତି। ଏନେଇ ଥାନା ଅଧିକାରୀ ଜିବନା ନନ୍ଦ ଜେନାଙ୍କ ପାଖରେ ସୂଚନା ପହଞ୍ଚିଥିଲା। ଏହାପରେ ଏକ ସ୍ବତନ୍ତ୍ର ଟିମ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।