ଗଞ୍ଜାମରେ ଜମିଲାଣି ଜୁଆଖେଳ: ୨୦ ଗିରଫ

ବେଲଗୁଣ୍ଠା/ ଜଗନ୍ନାଥ ପ୍ରସାଦ,୨୧ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ/ ବିଭୂ ପ୍ରସାଦ ପଟ୍ଟନାୟକ): ପାର୍ବଣ ଋତୁର ଆଗମନରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜୁଆଖେଳ ଆସର ଜମିଲାଣି। ଏପରି ପରିସ୍ଥିତିରେ ବେଆଇନ୍‌ ଜୁଆଖେଳକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତୀକ୍ଷ୍ଣ ନଜର ରହିଛି। ଏପରି ସ୍ଥଳେ ରବିବାର ସନ୍ଧ୍ୟାରେ ପେଟ୍ରୋଲିଂ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ସେଠାରୁ ୧୦ ଜଣଙ୍କୁ ଗିରଫ କରିବା ସହିତ ୨୨୭୦୦ ଟଙ୍କା, ୩ଟି ବାଇକ୍‌, ଗୋଟିଏ ସ୍କୁଟର, ୧୦ଟି ମୋବାଇଲ, ୮ଟି ତାସ୍‌ ମୁଠା ଜବତ କରି ୪୬୦/୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ରେବତୀ ଶବର କହିଛନ୍ତି।

ସେହିପରି ଜଗନ୍ନାଥ ପ୍ରସାଦ ଥାନା ଅଧୀନ ନଡ଼ା ଗ୍ରାମ ନିକଟ କୁକୁଡ଼ା ଫାର୍ମରେ ରବିବାର ସନ୍ଧ୍ୟାରେ ଚାଲିଥିବା ଜୁଆ ଖେଳ ଉପରେ ଭଞ୍ଜନଗର ଥାନା ଓ ସ୍ଥାନୀୟ ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୧୦ଜଣଙ୍କୁ ଗିରଫ କରାଯାଇଛି । ସେଠାରୁ ୫୨୫୦୦ ଟଙ୍କା, ୧୦ ମୋବାଇଲ ଫୋନ୍‌ ଓ ୬ ଟି ବାଇକ୍‌ ଜବତ ହୋଇଛି । ଏସ୍‌ଡିଓ ଡ.ଦୀପକ କୁମାର ମିଶ୍ରଙ୍କ ନେତୃତ୍ୱରେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା, ସ୍ଥାନୀୟ ଥାନାଧିକାରୀ ପ୍ରମୋଦ ଲେଙ୍କାଙ୍କ ସମେତ ଏସଆଇ ଜ୍ୟୋତିରଞ୍ଜନ ସାହୁ, ଏଏସଆଈ ପ୍ରିୟରଞ୍ଜନ ମିଶ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ କୁକୁଡାଫାର୍ମରେ ଘେରି ଥିଲେ।