ଭଞ୍ଜନଗର,୪।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଦଶହରାଠାରୁ କୁମାର ପୂର୍ଣ୍ଣିମା ମଧ୍ୟରେ ଲୋକେ ପ୍ରାୟ ପାରମ୍ପରିକ ଭାବେ ଜୁଆ ଖେଳ ଖେଳିଥାନ୍ତି। କିନ୍ତୁ ଆଉ କିଛି ଲୋକ ତା ପୁର୍ବରୁ ମଧ୍ୟ ଜୁଆ ଖେଳନ୍ତି। ଏଥିସହ ଆଉ କେତକ ସ୍ଥାନରେ ବର୍ଷର ଅଧିକାଂଶ ଦିନ ମଧ୍ୟ ଜୁଆ ଖେଳ ଚାଲିଥାଏ। ଏହିଭଳି ବେନିୟମ ପ୍ରକ୍ରିୟା ବହୁ ବର୍ଷ ଧରି ଚାଲିଛି। ବିଭିନ୍ନ ସମୟରେ ପୋଲିସ ଏହାକୁ ରୋକିବା ପାଇଁ ଚେଷ୍ଟା କରୁଛି। ତଥାପି ଶତ ପ୍ରତିଶତ ସଫଳ ହୋଇପାରୁନାହିଁ। ଏହିଭଳି ଭଞ୍ଜନଗର ପୋଲିସ ବିଗତ କିଛିଦିନ ମଧ୍ୟରେ ୫୪ରୁ ଉଦ୍ଧର୍ବ ଜୁଆଡିଙ୍କୁ ଗିରଫ କରିଲାଣି। ତଥାପି ଏବେବି ଅନେକ ସ୍ଥାନରେ ଲୋକେ ଜୁଆ ଖେଳରେ ମାତିଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ଜୁଆ ଖେଳ ବୃଦ୍ଧି ଯୋଗୁ ଏହି ସମୟରେ ବିଭିନ୍ନ ପ୍ରକାର ଚୋରି ମଧ୍ୟ ବଢୁଛି। ତେଣୁ ପୋଲିସ ଜୁଆ ଖେଳକୁ ରୋକିବା ପାଇଁ ଚେଷ୍ଟା କରୁଛି।
ଏହିଭଳି ଶୁକ୍ରବାର ରାତିରେ ପୋଲିସ ବଡ ଧୋବାସାହିର ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪୦ ହଜାର ୩୦୦ ଟଙ୍କା ଜବତ କରିଛି। ଏଥିସହ ୧୨ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫ ଟି ମୋବାଇଲ ଫୋନ ଜବତ କରିଛି। ଏନେଇ ଭଞ୍ଜନଗର ଥାନାରେ ୧୧୧୮/୨୫ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ଜିବନାନନ୍ଦ ଜେନା ସୂଚନା ଦେଇଛନ୍ତି।