ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସୂଚନା ପ୍ରକାରେ ରାଣୀପେଣ୍ଠ ଗ୍ରାମ ସିଂହ ନଗର ଅଞ୍ଚଳର କର୍ଣ୍ଣମ ସିଂହାଦ୍ରି (୪୩) ନାମକ ଜଣେ ଅଟୋ ଚାଳକ ନିଜ ଘରେ କେହି ନଥିବାଯୋଗୁ ତାଲା ପକାଇ କାମରେ ବାହାରିଥିଲେ । ସେ ସମୟରେ ତାଙ୍କ ସ୍ତ୍ରୀ ଏକ ଘରୋଇ ବିଦ୍ୟାଳୟରେ କାମ କରୁଥିବା ଯୋଗୁଁ ସେ ଡ୍ୟୁଟି ରେ ଥିଲେ ଏବଂ ତାଙ୍କ ଛୁଆମାନେ ମଧ୍ୟ ସ୍କୁଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ମଧ୍ୟାହ୍ନ ସମୟରେ ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରି ଦ୍ୱାର ଓ ଆଲମୀରା ଭାଙ୍ଗି ଚୋରି କରିଥିଲେ । ପ୍ରାୟ ଅଧାଘଣ୍ଟା ପରେ ସିଂହାଦ୍ରି ଘରକୁ ଫେରି ଆସିଥିଲେ । ତାଲା ଭଙ୍ଗାଯାଇଥିବା ଦେଖି କାଳବିଳମ୍ବ ନକରି ସେ ଚୋରି ସନ୍ଦେହ କରି ଚିତ୍କାର କରିଥିଲେ। ସେତେବେଳେ ଦୁର୍ବୃତ୍ତଦ୍ବୟ ଘରଭିତରେ ଥିଲେ। ସିଂହାଦ୍ରିଙ୍କ ଚିତ୍କାର ଶୁଣି ଦୁଇ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିଥିଲେ। ଚିତ୍କାର ଶୁଣି ଏହି ସମୟରେ ସାହି ପଡ଼ୋଶୀ ଲୋକମାନେ ଜମାହୋଇ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଦଳ ପହଞ୍ଚି ଗ୍ରାମବାସୀଙ୍କ ସାମ୍ନାରେ ଘର କବାଟ ଖୋଲି ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଧରିଥିଲେ । ଘଟଣାସ୍ଥଳରେ ସେମାନଙ୍କ ଠାରୁ ୩ ତୋଳା ସୁନା ଆଭୂଷଣ, ୧୦ ତୋଳା ଚାନ୍ଦି ଆଭୂଷଣ, ନଗଦ ରାଶି ୨୦ ହଜାର ଟଙ୍କା ଚୋରି ସାମଗ୍ରୀ ଜବତ କରାଯାଇଥିଲା । ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରାଯାଇଥିବା ନଗଦ ରାଶି ସମେତ ସୁନା ଓ ରୂପା ସାମଗ୍ରୀର ମୂଲ୍ୟ ପ୍ରାୟ ୪ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଥାନା ସୂତ୍ରରୁ ଜଣାପଡିଛି । ତେବେ ଅଭିଯୁକ୍ତ ମଙ୍ଗଳମ ଚେଣ୍ଟି ୮ ଗୋଟି ଚୋରି ମାମଲାରେ ସମ୍ପୃକ୍ତ ଥିବାର ସୂଚନା ପ୍ରଦାନ କରାଯାଇଛି ।