ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ସେହିଦିନଠାରୁ ପରିବାର ଲୋକ ସବୁଆଡ଼େ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇ ନ ଥିଲେ। ତେବେ ବୁଧବାର ସନ୍ଧ୍ୟାରେ ପରଜଙ୍ଗ ଶାଖା କେନାଲର କନ୍ଦରସିଂହା ଛକଠାରୁ କିଛି ଦୂରରେ ଏକ କଙ୍କାଳ ପଡ଼ିଥିବା ଲୋକେ ଦେଖି ଯୁବକଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକ ସେଠାକୁ ଯାଇ ବେକରେ ଲାଗିଥିବା ଗାମୁଛାରୁ ଯୁବକ ଜଣଙ୍କ ଗଗନ ବୋଲି ଚିହ୍ନଟ କରିବା ସହ ପୋଲିସଙ୍କୁ ଖବର ଦେଇଥିଲେ। ଖବର ପାଇ ପରଜଙ୍ଗ ଥାନା ଏ ଏସ ଆଇ ଯୁଗଳ ପ୍ରଧାନ, ଜଳନ୍ଧର ବାରିକ ପହଞ୍ଚି କଙ୍କାଳକୁ ଜବତ କରିଛନ୍ତି। ଏକ ଗଛରେ ଅଧା ଗାମୁଛା ବନ୍ଧା ହୋଇଥିବା ଅବସ୍ଥାରେ ରହିଥିବା ବେଳେ ଯୁବକଙ୍କ ବେକରେ ଅଧା ଗାମୁଛା ଲାଗି ତଳେ ପଡ଼ିରହିଛି। ଯାହାକି ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ରାତି ହୋଇଯାଇଥିବାରୁ ଆଜି ଉକ୍ତ କଙ୍କାଳକୁ ଉଦ୍ଧାର କରାଯାଇ ଯାଞ୍ଚ ପାଇଁ ପଠାଯିବ ବୋଲି ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

 

Share