୨୦୨୪ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କି ମଦ ବାଣ୍ଟିବି ନାହିଁ: ଗଡକରୀ

ନୂଆଦିଲ୍ଲୀ,୩୦।୯: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କିମ୍ବା ମଦ ବାଣ୍ଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ କେବଳ ଲୋକମାନଙ୍କ ସେବା କରିବା ମନୋବୃତ୍ତି ସହ ନିର୍ବାଚନକୁ ଓହ୍ଲାଇବେ। ସେ ନିଜ ଅଞ୍ଚଳରେ କୌଣସି ପ୍ରକାର ବ୍ୟାନର କିମ୍ବା ପୋଷ୍ଟର ବି ଲଗାଇବେ ନାହିଁ। ନା ଖାଇବେ, ନା ଖାଇବାକୁ ଦେବେ ସଂକଳ୍ପ ସହ କାମ କରିବେ ବୋଲି କହିଛନ୍ତି।

ଗଡକରୀ ଶୁକ୍ରବାର ମହାରାଷ୍ଟ୍ରର ଓ୍ବାସିମ୍‌ ଜିଲାରେ ନିର୍ମାଣ ହୋଇଥିବା ଏକ ରାସ୍ତାର ଉଦ୍‌ଘାଟନ କରିବାକୁ ପହଞ୍ଚିଥିଲେ। ଏହି ଉପଲକ୍ଷେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଲୋକ ସଭା ନିର୍ବାଚନରେ ନିଜ ପକ୍ଷରୁ ପ୍ରଚାର କିଭଳି କରିବେ ସେ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ସେ ଚା’ପାଣିର ବ୍ୟବସ୍ଥା କରିବେ ନାହିଁ। ନିଜର ପ୍ରଚାର ଲାଗି କୌଣସି ବ୍ୟାନର କି ପୋଷ୍ଟର ଲଗାଇବେ ନାହିଁ। ଲକ୍ଷ୍ମୀଙ୍କ ଦର୍ଶନ ବି ହେବ ନାହିଁ । ଏପରିକି ଦେଶି-ବିଦେଶୀ ମିଳିବ ନାହିଁ। ଜଣେ ସଚ୍ଚୋଟ ନେତା ଭାବେ ସେ କାମ କରିବେ। ସମସ୍ତଙ୍କର ସେବା କରିବେ। ଏତିକି ବିଶ୍ୱାସ ସମସ୍ତେ ରଖନ୍ତୁ ବୋଲି ଗଡକରୀ କହିଛନ୍ତି।

ପ୍ରକାଶ ଯେ, ନାଗପୁରରୁ ଏମ୍‌ପି ଥିବା ଭାଜପା ନେତା ଗଡକରୀଙ୍କ ମୋଦି କ୍ୟାବିନେଟରେ ପ୍ରଦର୍ଶନ ଭଲ ରହିଛି। ଉଭୟ ଶାସକ ଏବଂ ବିରୋଧୀ ଦଳର ନେତା ତାଙ୍କୁ ସମ୍ମାନ ଦେଇଥାନ୍ତି। ସେ ଲଗାତର ୨ ଥର ଧରି ନାଗପୁର ସିଟ୍‌ରୁ ନିର୍ବାଚନ ଲଢ଼ି ବିଜେତା ହୋଇଛନ୍ତି। କହିବାକୁ ଗଲେ ପୂର୍ବରୁ ନାଗପୁର ସିଟ୍‌ କଂଗ୍ରେସ ଗଡ଼ ବୋଲି କୁହାଯାଉଥିଲା। ହେଲେ ଗଡକରୀଙ୍କୁ ଭାଜପା ଏଠାରେ ଛିଡ଼ା କରିବା ପରେ ସେ ବହୁମତରେ ବିଜୟ ହାସଲ କରିଆସୁଛନ୍ତି।