ଶୀତରେ ଥରୁଛି ଜି.ଉଦୟଗିରି: ଆଜି ସବୁଠୁ ସର୍ବନିମ୍ନ ତାପମାତ୍ରା, ଜାଣନ୍ତୁ କେତେ ରହିଛି…

ଜି.ଉଦୟଗିରି,୨୮।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ୨/୩ ଦିନ ଶୀତ କମି ଯାଇଥିଲା । ମେଘୁଆ ପାଗ ଶୀତର ପ୍ରକୋପକୁ କିଛି ମାତ୍ରାରେ ଅବରୋଧ କରିଥିଲା। କିନ୍ତୁ ବିଗତ ୪ ଦିନ ହେଲା ଜି.ଉଦୟଗିରିରେ ପାରଦ ତଳ ମୁହାଁ ହେବା ସହ ଶୀତର ପ୍ରକୋପ ବଢ଼ିଛି। ଜି.ଉଦୟଗିରି ସହର ସହ ଆଖପାଖ ଅଞ୍ଚଳରେ ହାଡ଼ ଭଙ୍ଗା ଶୀତରେ ଅଞ୍ଚଳବାସୀଙ୍କ ଦୈନନ୍ଦିନ କାର୍ଯ୍ୟ ଧାରା ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଥଣ୍ଡା ଯୋଗୁ ଅଞ୍ଚଳବାସୀ ଖରା ଓ ନିଆଁର ସାହାରା ନେଉଛନ୍ତି। ଥଣ୍ଡାର ପ୍ରକୋପ ସମସ୍ତଙ୍କୁ ପ୍ରଭାବିତ କରିଛି। ସକାଳୁ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ମୋଟର ଯାତାୟାତରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । କହିବାକୁ ଗଲେ ପ୍ରବଳ ଶୀତ ଯୋଗୁ ଜି.ଉଦୟଗିରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ରାତି ଶୀତ ବସ୍ତ୍ର ବ୍ୟବହାର କରିବାକୁ ପଡ଼ୁଛି। ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ଥିଲା । ଗୁରୁବାର ୭.୪ ଡିଗ୍ରୀ ରେକର୍ଡ ରହିଥିଲା । ଶୁକ୍ରବାର ୫.୪ ରେକର୍ଡ କରାଯାଇଛି। ଅସହ୍ୟ ଥଣ୍ଡା ଜାଡ଼ରେ ଦେହ କାଲ ମାରୁଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ଶୀତ ବସ୍ତ୍ର, ନିଆଁ ହିଁ ସାହା ଭରସା ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି। ଜି.ଉଦୟଗିରି ରେ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଚଳିତ ବର୍ଷ ମଧ୍ୟ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ତୁଷାରପାତ ଦେଖିବାକୁ ପର୍ଯ୍ୟଟକ ଆଶା ବାନ୍ଧି ଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Dharitri – The Largest & Most Trusted Odia Daily

Share
Tags: odisha