ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ କନ୍ଧମାଳ ଜିଲାର ସବୁଜ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଜି.ଉଦୟଗିରିରେ ଜାଡ଼ ଶୀତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଜ୍ୟର ସବୁଠାରୁ କମ ତାପମାତ୍ରା ଅତ୍ୟଧିକ ଥଣ୍ଡା ସହ ଶୀତଳତମ ସହର ଭାବେ ଜି.ଉଦୟଗିରିରେ ତାପମାତ୍ରା କମିବା ସହ ଗ୍ରାମାଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ରହୁଥିବା ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଯୁବ ପୀଢ଼ି ଭୋର୍‌ ସକାଳୁ କେଉଁଠି ତୁଷାରପାତ ହୋଇଛି ଖୋଜିବାରେ ବ୍ୟସ୍ତ। ଦୈନଦିନ କର୍ମକ୍ଷେତ୍ରକୁ ଯାଇ କାମ କରିବା କଷ୍ଟକର ହୋଇପଡ଼ିଛି। ସକାଳୁ ପାଣି ଛୁଇଁବା କଷ୍ଟକର ହେଉଥିବାବେଳେ ଦୈନନ୍ଦିନ ଜୀବନ ଶୈଳୀରେ ଶୀତର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। ଶୀତର ପ୍ରକୋପ ଯୋଗୁ ଦିନ ମଜୁରିଆଙ୍କୁ କାମରେ ଅସୁବିଧା ହେଉଛି। ଜି.ଉଦୟଗିରିରେ ଶୀତର ପ୍ରକୋପ ବଢ଼ିବା ସହ ପ୍ରବଳ ଜାଡ଼ ଥଣ୍ଡା ପବନ ଯୋଗୁ ଦେହ କାଲ ମାରୁଛି। ଯେତେ ଶୀତ ବସ୍ତ୍ର ପିନ୍ଧିଲେ ମଦ୍ୟ ଅସହ୍ୟ କରିଛି ଶୀତ ଯନ୍ତ୍ରଣା। ଦିନ ଥାଉ ଥାଉ ଲୋକେ ନିଆଁ ଜାଳି ଥଣ୍ଡା ଉପଭୋଗ କରୁଛନ୍ତି। ଯେତେ ଗନ୍ଥା, କମଳ, ରେଜେଇ ଘୋଡ଼େଇ ହେଲେ ମଧ୍ୟ ଅସହ୍ୟ ମନେ ହେଉଛି ଶୀତ। ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରି ରେ ସୋମବାର ସକାଳ ୮ ଟା ସୁଦ୍ଧା ତାପମାତ୍ରା ୪.୩ ରହିଥିବାବେଳେ ରବିବାର ୪.୪ ଡିଗ୍ରୀ, ଶନିବାର ଦିନ ୫.୪ ଡିଗ୍ରୀ ତାପମାତ୍ରା ରହିଥିଲା।

ସେହିପରି ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ସରକାରୀ ତଥ୍ୟ ଅନୁସାରେ ସୋମବାର ସେମିଳିଗୁଡ଼ା ୪.୬,ଫୁଲବାଣୀ ୭.୨,ଝାରସୁଗୁଡ଼ା ୭.୪,ଦାରିଙ୍ଗବାଡ଼ି ୭.୫, ରାଉରକେଲା ୭.୬, ଚିପିଲିମା ୮, ଅନୁଗୋଳ ୮.୮, କିରେଇ ୮.୯,ଭବାନୀପାଟଣା ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାରେ ବିଭୋର ହୋଇ ଫେରିବା ସମୟ ଭୁଲି ଯାଉଛନ୍ତି।

 

Dharitri – Odisha’s No.1 Odia Daily