୨୨ ଏକର ଜମିରେ ଗଞ୍ଜେଇ ଚାଷ, ଅତର୍କିତ ଚଢ଼ାଉ କରି ଗଛ ନଷ୍ଟ କଲା ଜି.ଉଦୟଗିରି ପୋଲିସ

ଜି.ଉଦୟଗିରି,୨୫।୧୧( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଅନ୍ତର୍ଗତ ଗଲାମାହା ପଞ୍ଚାୟତ ପେଟାପାଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଜି.ଉଦୟଗିରି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉରେ ୨୨ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ଚାଷ ପାଇଁ ବ୍ୟବହୃତ ସମାଗ୍ରୀ ପୋଲିସ ଜବତ କରିଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨.୫ କୋଟିରୁ ଉର୍ଦ୍ଧ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ଥାନା କେସ ନମ୍ବର ୨୩୧/୨୫ ରେ ଏନଡିପିଏସ ଧାରାରେ କେସ  ପଞ୍ଜୀକୃତ ହୋଇ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ୨୨ ଏକର ଜମିରେ ପ୍ରାୟ ୧୧ ହଜାର ଗଞ୍ଜେଇ ଗଛ ଲଗାଯାଇଥିଲା। ସ୍ଥାନୀୟ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ରାଇକିଆ ତହସିଲଦାର ବାରିଆଲ ମୁର୍ମୁଙ୍କ ସହ ୩ ଜଣ ପୋଲିସ ଅଧିକାରୀ, ଏକ ଫ୍ଲାଟୁନ ଫୋର୍ସ, ୧୫ ଜଣ ପୋଲିସ, ୪୦  ଜଣ ହୋମ ଗାର୍ଡ ସଦଳବଳେ ଉକ୍ତ ଚାଷ ଜମିରେ ପହଞ୍ଚି ଗଞ୍ଜେଇ ଗଛ କାଟି ସେଗୁଡ଼ିକ ପୋଡ଼ି ନଷ୍ଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ପ୍ରଥମ ଖବର ହୋଇଥିବା ବେଳେ ପୋଲିସର ତିକ୍ଷ୍ଣ ଦୃଷ୍ଟିରୁ ବର୍ତ୍ତି ପାରିନାହାନ୍ତି ଗଞ୍ଜେଇ ଚାଷୀ। ବହୁ ସଚେତନତା ପରେ ବି ଗଞ୍ଜେଇ ଚାଷ ଚାଲିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Share