ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା ସହ ଶୀତଳତମ ସହର ଭାବେ ପରିଚିତ। ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଜି.ଉଦୟଗିରିରେ ଶନିବାର ୫.୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରବିବାର ସକାଳ ୮ ଟା ସୁଦ୍ଧା ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହା ରାଜ୍ୟର ସର୍ବନିମ୍ନ ତାପମାତ୍ରା ରହିଛି। ସରକାରୀ ସୂଚନା ଅନୁସାରେ ସେମିଳିଗୁଡ଼ା ୬.୧,ରାଉରକେଲା ୭.୨,ଦାରିଙ୍ଗବାଡ଼ି ୭.୫,ଝାରସୁଗୁଡ଼ା ୭.୬,ଫୁଲବାଣୀ ୮ ଡିଗ୍ରୀ ସେଲସିୟସ ସହ ସର୍ବନିମ୍ନ ତାପମାତ୍ରା ରେକର୍‌ କରାଯାଇଛି। କିଛି ଦିନର ଲୁଚକାଳି ପରେ ଜି.ଉଦୟଗିରି ରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଯେତେ ଶୀତ ବସ୍ତ୍ର ପିନ୍ଧିଲେ ମଧ୍ୟଗାଁ ଠାରୁ ସହର ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ହିଁ ଏକମାତ୍ର ସାହାଭରସା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଭୋର୍‌ ସକାଳୁ ଯୁବପିଢ଼ି ବ୍ୟାୟମ କରି ଶୀତ ସହ ସଙ୍ଘର୍ଷ କରୁଥିବା ବେଳେ ଶୀତର ମଜା ନେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଜି.ଉଦୟଗିରିରେ ଆଗକୁ ଆହୁରି ତାପମାତ୍ରା କମିବା ସହ ପ୍ରବଳ ଶୀତ ହେବ ଓ ତୁଷାରପାତ ହେବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।

Dharitri – Odisha’s No.1 Odia Daily

Share