ଲଣ୍ଡନ: ସାଧାରଣତଃ ବିବାହରେ ସାମିଲ ହୋଇଥିବା ଅତିଥିମାନେ ବର ଏବଂ କନ୍ୟାଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଇଥାନ୍ତି। ତେବେ ବ୍ରିଟେନ୍ର ଏକ ଦମ୍ପତି ସେମାନଙ୍କ ବିବାହ ରିସେପ୍ସନରେ କୌଣସି ପାରମ୍ପରିକ ଉପହାର ନେବେ ନାହିଁ ବୋଲି ଅତିଥିଙ୍କୁ ବିବାହ କାର୍ଡରେ ଅବଗତ କରାଇଥିଲେ। ଏହା ବଦଳରେ ସେମାନେ ବିବାହ ରିସେପ୍ସନରେ ନିଜ ହନିମୁନ୍ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ନିଜ ରିସେପ୍ସନରେ ଏକ କ୍ୟୁଆର୍ କୋଡ୍ ସ୍କାନର ଲଗାଇଥିଲେ ଯେଉଁଥିରେ ଲେଖା ହୋଇଥିଲା, ଉପହାର ଦେବା ବଦଳରେ ଆମ ହନିମୁନ୍ ପାଣ୍ଠିରେ ଯୋଗଦାନ କରନ୍ତୁ। ଏହିପରି ଭାବେ ନିଜ ବିବାହ ରିସେପ୍ସନରେ ଉକ୍ତ ଦମ୍ପତି ସେମାନଙ୍କ ହନିମୁନ୍ ପାଇଁ ମୋଟ ୧୪୦ ଅତିଥିଙ୍କଠାରୁ ପାଣ୍ଠି ସଂଗ୍ରହ କରିବାରେ ସଫଳ ହୋଇଛନ୍ତି।
ବ୍ରିଟେନ୍ର ମିଲ୍ଟନ୍ କେନ୍ସ ସହରର ବାସିନ୍ଦା କ୍ରିସ୍ ମାର୍ଟିନ୍ (୩୫) ଏବଂ ତାଶା ହ୍ବାଇଟ୍ (୩୩) ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଏହି ଅନନ୍ୟ ପଦ୍ଧତିକୁ ଆପଣାଇଥିଲେ। ୧୪ ବର୍ଷ ଧରି ରିଲେଶନ୍ଶିପ୍ରେ ରହିବା ପରେ ନିକଟରେ ଉଭୟେ ବିବାହ କରିଥିଲେ। କ୍ରିସ୍ ମର୍ସିଡିଜ୍ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଶା ହେଉଛନ୍ତି ଜଣେ ହେୟାରଡ୍ରେସର। ତାଶା କହିଛନ୍ତି, ସେମାନଙ୍କୁ ପାରମ୍ପରିକ ଉପହାରର ଆବଶ୍ୟକତା ନ ଥିଲା। ଘର ପାଇଁ ଆବଶ୍ୟକ ସମସ୍ତ ଜିନିଷ ସେମାନଙ୍କ ନିକଟରେ ରହିଥିଲା। ତେବେ ଉଭୟେ ହନିମୁନ୍ ପାଇଁ ମେକ୍ସିକୋ ଯିବାକୁ ସ୍ଥିର କରିଥିବାବେଳେ ଏଥିପାଇଁ ପାଣ୍ଠିର ଅଭାବ ଥିଲା। ତେଣୁ ସେମାନେ ନିଜ ବିବାହ ରିସେପ୍ସନରେ କ୍ୟୁଆର୍ କୋଡ୍ ସ୍କାନରକୁ ସ୍ଥାପନ କରିଥିଲେ। ଏହାଦ୍ୱାରା ଅତିଥିମାନେ ସିଧାସଳଖ ଭାବେ କ୍ରିସ୍ଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟ୍ୟାପ୍କରି ତାଙ୍କ ହନିମୁନ୍ ପାଇଁ ସଂଗ୍ରହ ହେଉଥିବା ପାଣ୍ଠିରେ ଯୋଗଦାନ କରିଥିଲେ। କ୍ରିସ୍ କହିଛନ୍ତି, ହନିମୁନ୍ ପାଣ୍ଠି ସଂଗ୍ରହ ପାଇଁ ଏହି ନିଆରା ଉପାୟକୁ ତାଙ୍କ ବିବାହ ରିସେପ୍ସନକୁ ଆସିଥିବା ଅତିଥିମାନେ ବେଶ୍ ପସନ୍ଦ କରିଥିଲେ। ତେବେ କ୍ୟୁଆର୍ କୋଡ୍ ସ୍କାନରରେ ସେ ହନିମୁନ୍ ପାଇଁ କେତେ ଅର୍ଥ ସଂଗ୍ରହ କରିଛନ୍ତି ସେ ସମ୍ପର୍କରେ କ୍ରିସ୍ ସୂଚନା ଦେଇନାହାନ୍ତି। ସମ୍ପ୍ରତି ଲୋକମାନେ ନିଜ ସହ କମ୍ ନଗଦ ଅର୍ଥ ରଖୁଥିବାରୁ, କ୍ୟୁଆର୍ କୋଡ୍ ସ୍କାନରରେ ପାଣ୍ଠି ସଂଗ୍ରହ ପଦ୍ଧତି ତାଙ୍କୁ ସମ୍ପୂର୍ଣ୍ଣ ଠିକ୍ ମନେହୋଇଥିଲା ବୋଲି କ୍ରିସ୍ କହିଛନ୍ତି।