ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), କାତାର ଏପରି କି ଓମାନ୍ ଉପରେ ଇରାନ ମିଶାଇଲ ଆକ୍ରମଣ କରୁଥିବା ଦେଖାଯାଇଛି। ଆମେରିକାର ଏୟାରବେସ୍ ଥିବା ଦେଶକୁ ଟାର୍ଗେଟ କରି ଇରାନ ଚଳାଇଥିବା ଆକ୍ରମଣ ସମ୍ପୃକ୍ତ ଭୂଖଣ୍ଡକୁ ଉତ୍ତପ୍ତ କରିରଖିଛି। ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ବନ୍ଦ ରଖି ଇରାନ ବିଶ୍ୱ ଶକ୍ତି କ୍ଷେତ୍ର ପ୍ରତି ବଡ଼ ଆହ୍ବାନ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ସ୍ତରରେ ତେଲ ବ୍ୟବହାରର ପ୍ରାୟ ଏକ ପଞ୍ଚମାଂଶ ଏହି ପଥ ଦ୍ୱାରା ହୋଇଥାଏ। ଯେତେବେଳେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନେଇ ଭାଳେଣି ପଡ଼ିଲା ସେତେବେଳେ ଇରାନ ସ୍ପଷ୍ଟ କରିଥିଲା ଯେ, ଆମେରିକା, ଇସ୍ରାଏଲ ଓ ୟୁରୋପର ଜାହାଜକୁ ବନ୍ଦ ରଖାଯାଇଛି। ଭାରତ ପାଇଁ କୌଣସି ବିପଦ ନାହିଁ ବୋଲି ଇରାନ କହିବା ପରେ ଭାରତୀୟମାନେ ଆଶ୍ୱସ୍ତି ଅନୁଭବ କରିଥିଲେ। ଏହା କହିବା ସତ୍ତ୍ୱେ ଇରାନର ନୌଜାହାଜ ଆଇଆର୍ଆଇଏସ୍ ଡେନା ଭାରତ ଆସି ଫେରୁଥିବା ବେଳେ ଶ୍ରୀଲଙ୍କା ନିକଟରେ ଆମେରିକା ବୁଡ଼ାଜାହାଜ ଟର୍ପେଡୋ ମାଡ଼ରେ ବୁଡ଼ିଯାଇଥିଲା। ଫଳରେ ୮୦ ଜଣ ନାବିକଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଭାରତର ବୈଦେଶିକ ନୀତିରେ ବିଚ୍ୟୁତି ଘଟିଥିବା ହେତୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନୀରବ ରହି ଖଣ୍ଡନ କରିବାକୁ ଆଗେଇ ଆସିଲେ ନାହିଁ, ଯାହାର କୁଫଳ ଏବେ ଦେଶକୁ ଭୋଗିବାକୁ ପଡ଼ୁଛି। ପୂର୍ବରୁ ଭାରତ ଗରିବ ଥିଲା। ମାତ୍ର ଅନ୍ତର୍ଜାତୀୟ ସ୍ତରରେ ତା’ର ଟେକ ବିଶେଷକରି ଏକ ଗୋଷ୍ଠୀ ନିରପେକ୍ଷ ଦେଶ ଭାବେ ଆଗଧାଡ଼ିରେ ଥିଲା। ବର୍ତ୍ତମାନ ଭାରତରେ ଧନୀଙ୍କ ସଂଖ୍ୟା ପ୍ରବଳମାତ୍ରାରେ ବୃଦ୍ଧି ପାଇଥିବା ସତ୍ତ୍ୱେ ଦେଶର ଅନ୍ତର୍ଜାତୀୟ ଭାବମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ଧୂଳିସାତ୍ ହୋଇଗଲାଣି।
ବାସ୍ତବତା ଦେଖିଲେ ଏବେ ଭାରତରେ ଶକ୍ତି ସଙ୍କଟ ବିରାଟ ରୂପ ଧାରଣ କଲାଣି। ବ୍ୟବସାୟିକ ରନ୍ଧନ ଗ୍ୟାସ୍ ଅଭାବରୁ ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ ଆଦି ବଡ଼ ସହରରେ କେତେକ ରେଷ୍ଟୁରାଷ୍ଟ ବନ୍ଦ ହେବା ଦେଖାଦେଲାଣି। ଏଭଳି ସ୍ଥଳେ ଭାରତ ସରକାର ଏଲ୍ପିଜି ଯୋଗାଣ ହ୍ରାସକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏପରିକି ଗୋଟେ ଗ୍ୟାସ୍ ସିଲିଣ୍ଡର ବୁକିଂର ୨୫ ଦିନକୁ ଅପେକ୍ଷା ସମୟ ବୃଦ୍ଧି କରିଦିଆଯାଇଛି। ସ୍ଥିତି ଯାହା ଦେଖାଯାଉଛି ଯୁଦ୍ଧର ଅବଧି ନିଶ୍ଚିତ ଭାବେ ଭାରତ ସମେତ ବିଶ୍ୱବ୍ୟାପୀ ପଡ଼ିବା ଥୟ। ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ବନ୍ଦ କରିଥିବାରୁ ୧୦ ମାର୍ଚ୍ଚରେ ଆମେରିକା ତାହାକୁ ଭୟାବହ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲେ ମଧ୍ୟ ତେହରାନ ନିଜ ଦାଣ୍ଠରେ ଅଟଳ ରହିଛି। କୌଣସି ଭାବେ ଆମେରିକା, ଇସ୍ରାଏଲ ଓ ୟୁରୋପ ପାଇଁ ସେହି ତୈଳ ଜାହାଜ ଯାତାୟାତ କରୁଥିବା ପ୍ରଣାଳୀକୁ ଖୋଲିବ ନାହିଁ ବୋଲି ଇରାନ କହିଛି।
ଇରାନରୁ ଆଶ୍ୱସ୍ତି ପାଇଥିଲେ ମଧ୍ୟ ଯେଉଁଭଳି ଭାବେ ଭାରତ ପ୍ରଥମରୁ ତୈଳ ଓ ଗ୍ୟାସ୍ ସଙ୍କଟ ଦେଖିଲାଣି ଆଗକୁ ତାହା ଭୀଷଣ ରୂପ ଧାରଣ କରିବ ବୋଲି ଆଭାସ ମିଳିଲାଣି। ଇରାନ ତା’ର ପଡ଼ୋଶୀ ଦେଶ ଉପରେ ଆକ୍ରମଣ ଜାରି ରଖିଥିବାରୁ ଅନେକ ଦେଶ ତୈଳ ଭଣ୍ଡାର ଓ ଗ୍ୟାସ୍ ପ୍ଲାଣ୍ଟ ଭୟରେ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। କାରଣ କ୍ଷେପଣାସ୍ତ୍ର ମାଡ଼ରେ ଦହନଶୀଳ ପଦାର୍ଥ ତତ୍କ୍ଷଣାତ୍ ନଷ୍ଟ ହୋଇଯାଉଛି। ଆମେରିକା ମଧ୍ୟ ଏହାକୁ ଉପଲବ୍ଧି କଲାଣି। ଦେଖିବାକୁ ଗଲେ ଗୋଟେ ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରି ତା’ର ସର୍ବୋଚ୍ଚ ନେତାଙ୍କୁ ମାରିଦେଲେ ତତ୍କ୍ଷଣାତ୍ ସେଠାକାର ବ୍ୟବସ୍ଥାକୁ ବଦଳାଯାଇପାରି ନ ଥାଏ। ଇରାନର ରାଜନୈତିକ ବ୍ୟବସ୍ଥାକୁ ଅନିଶା କଲେ ଧର୍ମୀୟ କର୍ତ୍ତୃପକ୍ଷ, ରିଭଲ୍ୟୁଶନାରୀ ଗାର୍ଡ, ଦୃଢ଼ ସୁରକ୍ଷା ନେଟଓ୍ବର୍କ, ଅପର୍ଯ୍ୟାପ୍ତ ତୈଳ ଭଣ୍ଡାର ଯୋଗୁ ଅର୍ଥନୈତିକ ପୃଷ୍ଠପୋଷକ ଢାଞ୍ଚା ମଜଭୁତ ଥିବାରୁ ତାହାକୁ ଏତେ ଶୀଘ୍ର ଦୋହଲାଇ ଦେଇ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ସର୍ବୋଚ୍ଚ ନେତାଙ୍କ ଅବର୍ତ୍ତମାନରେ ସେଠାରେ ଅନିଶ୍ଚିତତା ଦେଖାଦେଇଛି। କିନ୍ତୁ ବାହ୍ୟ ଚାପ ଯୋଗୁ ଇରାନରେ ଯେଉଁ ଶକ୍ତି ଶାସନ ବିରୋଧରେ ସ୍ବର ଉଠାଉଥିଲେ ସେମାନେ ଧୀରେ ଧୀରେ ନିସ୍ତେଜ ହେଲା ଭଳି ଲକ୍ଷ୍ୟ କରାଗଲାଣି। ପଡ଼ୋଶୀ ଦେଶ ଉପରେ ଇରାନ ଆକ୍ରମଣ କରୁଥିଲେ ମଧ୍ୟ ସେହି ସବୁ ରାଷ୍ଟ୍ର ଖୋଲା ଯୁଦ୍ଧକୁ ଓହ୍ଲାଇପାରୁ ନାହାନ୍ତି। ତାହାର ଏକମାତ୍ର କାରଣ ହେଲା ଇରାନକୁ ପ୍ରତିଆକ୍ରମଣ କଲେ ନିରନ୍ତର ଶକ୍ତି ପ୍ରବାହ ବାଧାପ୍ରାପ୍ତ ହେବା ସହ ନିବେଶକାରୀଙ୍କ ବିଶ୍ୱାସ ହ୍ରାସ ଘଟିବ। ଏହିସବୁ ଦେଶଗୁଡ଼ିକର ତୈଳଭିତ୍ତିକ ଅର୍ଥନୀତି ଶକ୍ତିହୀନ ହୋଇଗଲେ ସେମାନଙ୍କ ଆର୍ଥିକ ଅସ୍ତିତ୍ୱ ଲୋପ ପାଇଯିବ। ଇରାନକୁ ଆମେରିକାର ଧମକ ଯେତେ ବଢ଼ୁଛି ତେହରାନ ପଛଘୁଞ୍ଚା ଦେଉ ନ ଥିବା ଉଲ୍ଲେଖନୀୟ ବିଷୟ। କେତେକ ଯୁଦ୍ଧ ରଣନୀତିକାର କହିଲେଣି ହୁଏତ ଆମେରିକା ଶେଷରେ ଯୁଦ୍ଧ ସନ୍ଧି ଲାଗି ଆଗତୁରା ପ୍ରସ୍ତାବ ଦେଇପାରେ।
ଭେନେଜୁଏଲା ଭଳି ଇରାନକୁ ଆମେରିକା ଦେଖିବା ବୋକାମି। କ୍ଷମତାରେ ଥିବା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ସ୍ତ୍ରୀଙ୍କୁ ଉଠାଇ ନେବା ପରେ ସେହି ଦେଶରେ ବଡ଼ ପ୍ରତିକ୍ରିୟା ଦେଖାଯାଇ ନ ଥିଲା। ସେଠାକାର ତୈଳ ସମ୍ପଦ ଉପରେ ଆମେରିକା କାରସାଦି କରି ନିୟନ୍ତ୍ରଣରେ ରଖିଛି। କିନ୍ତୁ ଏପର୍ଯ୍ୟନ୍ତ ଆମେରିକୀୟ ତୈଳ କମ୍ପାନୀଗୁଡ଼ିକ ଭେନେଜୁଏଲାରେ ନିଜ କାର୍ଯ୍ୟ ଆରମ୍ଭ କରିବାରେ ଅସଫଳ ହେଉଛନ୍ତି। ତେବେ ଇରାନ ଉପରେ ଆକ୍ରମଣ ପୃଥିବୀକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି। ତୈଳ ଓ ଗ୍ୟାସ୍ ଭଳି ଉଭୟ ଇନ୍ଧନ ଓ ରନ୍ଧନ ଶକ୍ତିର ଅଭାବ ଦେଖାଦେଲେ ପ୍ରତିଟି ରାଷ୍ଟ୍ରର ଗତି ଠପ୍ ହୋଇଯିବା ଥୟ। ଏହି ପରିପ୍ରେକ୍ଷୀରେ ବିରାଟ ଜନସଂଖ୍ୟାବହୁଳ ଦେଶ ଭାରତକୁ ଦେଖିଲେ ୭୫ ଦିନ ପାଇଁ ଶକ୍ତି ସଂରକ୍ଷିତ ରହିଛି ଓ ସେଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ ବୋଲି ସରକାରୀ ଭାବେ କୁହାଯିବାର ସପ୍ତାହେ ପୂରି ନାହିଁ ଆଜି ଦେଶର ବଡ଼ ସହରରେ ରେଷ୍ଟୁରାଣ୍ଟ ବନ୍ଦ ଖବର ମିଳିଛି। ଏତିକିରୁ ଅନୁମାନଯୋଗ୍ୟ ଯେ, ଯୁଦ୍ଧର ଗତି କ୍ଷୀପ୍ର ହେଲେ ଏଠାରେ ଶକ୍ତି ସଙ୍କଟ ସମାନ ଗତିରେ ବଢ଼ି ଚାଲିବ। ଯୋଜନାବଦ୍ଧ ଭାବେ ପଦକ୍ଷେପ ନିଆଯାଉ ନ ଥିବା ଓ ନିର୍ଭରଶୀଳ ଚିନ୍ତାଧାରା ବଦ୍ଧମୂଳ ହୋଇ ରହିଥିବାରୁ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବା ସମ୍ଭବ ହେଉ ନାହିଁ ବୋଲି ଏବେ ଦେଶବାସୀ ହୃଦ୍ବୋଧ କରୁଥିବେ।
Dharitri – Odisha’s No.1 Odia Daily