ବ୍ରାଜିଲର ବେଲେମ୍ଠାରେ ୧୦ ନଭେମ୍ବରରେ ଜାତିସଂଘର ଜଳବାୟୁ ସଂକ୍ରାନ୍ତ ସମ୍ମିଳନୀ କନ୍ଫରେନ୍ସ ଅଫ୍ ଦ ପାର୍ଟିଜ୍ (କପ୍୩୦) ଆରମ୍ଭ ହେବାକୁ ଯାଉଛି। ଚାଇନା ପରେ ଦ୍ୱିତୀୟ ବୃହତ୍ ସବୁଜ ଗୃହ ବାଷ୍ପ ନିଃସରଣ କରୁଥିବା ଆମେରିକା ଏହି ସମ୍ମିଳନୀରେ ଯୋଗଦେବ ନାହିଁ ବୋଲି କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ପୂର୍ବ ଆଭିମୁଖ୍ୟକୁ ବଳବତ୍ତର ରଖି କେବଳ ନିଜ ରାଷ୍ଟ୍ର ନୁହେଁ, ଅନ୍ୟ ଦେଶ ଉପରେ ପ୍ରଭାବ ପକାଇବାକୁ ଯାଇ କେହି ସମ୍ମିଳନୀରେ ଯୋଗ ନ ଦେବାକୁ ଆହ୍ବାନ ଦେଇଛନ୍ତି। ଟ୍ରମ୍ପ୍ଙ୍କର ମୂଳରୁ ଜଳବାୟୁ ପରିବର୍ତ୍ତନ ଉପରେ ଏହିଭଳି ଦୃଷ୍ଟିକୋଣ ରହିଆସିଛି। ସେ ଅନେକ ଥର ବିଶ୍ୱତାପନ ଓ ଜଳବାୟୁ ସଂକ୍ରାନ୍ତ ଚେତାବନୀକୁ ପରିହାସ କରି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି। ଏପରିକି ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବା ପରେ ସେ ଜଳବାୟୁ ପରିବର୍ତ୍ତନ ଦିଗରେ ସବୁ ଫଣ୍ଡିଂ ବା ପାଣ୍ଠି ବଣ୍ଟନକୁ ପ୍ରାୟତଃ ବନ୍ଦ କରିଦେଇଛନ୍ତି। ଗତବର୍ଷ ଆଜାରବୈଜାନର ବାକୁଠାରେ ହୋଇଥିବା କପ୍୨୯ରେ ମଧ୍ୟ ଆମେରିକା ଯୋଗ ଦେଇ ନ ଥିଲା। ପୂର୍ବାପେକ୍ଷା ଆମେରିକା ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପ୍ରାକୃତିକ ବିପର୍ଯ୍ୟୟକୁ ଘୋର ମାତ୍ରାରେ ସମ୍ମୁଖୀନ ହେଉଥିଲେ ମଧ୍ୟ ଟ୍ରମ୍ପ୍ଙ୍କ ଭଳି ଏକଜିଦିଆ ନେତା ଏହା ପଛରେ ଥିବା ମନୁଷ୍ୟକୃତ ନକାରାତ୍ମକ ଯୋଗଦାନକୁ ସ୍ବୀକାର କରିବାକୁ ଚାହୁଁ ନାହାନ୍ତି। ଏଥିସହିତ ନଭେମ୍ବର ୨୨ ଓ ୨୩ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସେ କିମ୍ବା ତାଙ୍କର ଅନ୍ୟ କୌଣସି ସରକାରୀ ଅଧିକାରୀ ଯୋଗଦେବେ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଗୋରା କୃଷକମାନଙ୍କୁ ନିର୍ଯାତନା ଦିଆଯାଉଛି। ଯେତେ ଯାଏ ଖ୍ରୀଷ୍ଟିଆନଙ୍କ ବିରୋଧରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବ ସେତେ ଯାଏ ସେଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆମେରିକା ଯିବ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି। ହୁଏତ ଜି-୨୦ରେ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରସଙ୍ଗ ଉଠିଲାବେଳେ ଟ୍ରମ୍ପ୍ଙ୍କ ବିଭିନ୍ନ ଦେଶ ଉପରେ ଟାରିଫ୍ କଥା ଉଠିବା ଆଶଙ୍କାରେ ଆମେରିକା ପଛଘୁଞ୍ଚା ଦେଉଛି। ସୂଚନାଯୋଗ୍ୟ, ଜି-୨୦ରେ ବିଶ୍ୱର ୧୯ ବୃହତ୍ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ସହିତ ୟୁରୋପୀୟ ସଂଘ ଓ ଆଫ୍ରିକୀୟ ସଂଘ ରହିଛନ୍ତି। ଏହାର ସଦସ୍ୟମାନେ ବିଶ୍ୱ ଅର୍ଥନୀତିରେ ଥିବା ପ୍ରମୁଖ ପ୍ରସଙ୍ଗ ସଂକ୍ରାନ୍ତରେ ଏହି ମଞ୍ଚରେ ଆଲୋଚନା କରିଥାଆନ୍ତି।
ଦେଖିବାକୁ ଗଲେ ଅନ୍ୟ ରାଷ୍ଟ୍ରରେ ମାନବ ଅଧିକାର ଉଲ୍ଲଂଘନକୁ ଦେଖିପାରୁଥିବା ଟ୍ରମ୍ପ୍ ନିଜ ଦେଶରେ ଦୀର୍ଘ ୪୧ ଦିନ ହେବ ହୋଇଥିବା ଶଟ୍ଡାଉନ୍କୁ ହଟେଇବାରେ ବିଫଳ ହୋଇଛନ୍ତି ବୋଲି ସମାଲୋଚକମାନେ କହୁଛନ୍ତି। ସେଠାରେ ମନି ବିଲ୍ ଗୃହୀତ ନ ହେବା ଏହାର ମୂଳ କାରଣ ପାଲଟିଛି। କୁହାଯାଉଛି ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ଟ୍ରମ୍ପ୍ଙ୍କ ମନି ବିଲ୍କୁ ଗୃହୀତ ହେବାକୁ ଦେଉ ନ ଥିବାରୁ ଏହି ଶଟ୍ଡାଉନ୍ ସ୍ଥିତି ଉପୁଜିଛି। ଆମେରିକା ଇତିହାସରେ ଏଭଳି ସ୍ଥିତି ପୂର୍ବରୁ ଦେଖାଦେଇ ନ ଥିଲା। ଏହି ଶଟ୍ଡାଉନ୍ ଫଳରେ ପାଖାପାଖି ୧୪ ଲକ୍ଷ ସଂଘୀୟ କର୍ମଚାରୀ ଦରମା ନ ପାଇ ଦହଗଞ୍ଜ ହେଉଛନ୍ତି। ଏଠାରେ କୁହାଯାଇ ପାରେ ଯେ, ଅନେକ ଦିନ ହେବ ଆମେରିକାରେ ଅର୍ଥନୈତିକ ଅସ୍ବାଭାବିକତା ଜାରି ରହିଛି। ସେଥିପାଇଁ ସ୍ବାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ର ଘୋର ପ୍ରଭାବିତ ହେବା ସହ ଦରଦାମ ବୃଦ୍ଧି ଦେଖାଦେଇଛି। ଏହାକୁ ସମ୍ଭାଳିବା ପାଇଁ ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲା ମାତ୍ରେ ଡିପାର୍ଟମେଣ୍ଟ ଅଫ୍ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ) ମାଧ୍ୟମରେ ସରକାରୀ କର୍ମଚାରୀଙ୍କୁ ଛଟେଇ କରିବା ସହ ବିଭିନ୍ନ ଧରଣର ଖର୍ଚ୍ଚକାଟ ପଦକ୍ଷେପ ନେଇଥିଲେ। ଏବେ ବୋଝ ଉପରେ ନଳିତା ବିଡ଼ା ସାଜିଲାଣି ଶଟ୍ଡାଉନ୍ ପରିସ୍ଥିତି। ଦୀର୍ଘଦିନ ଧରି ଦରମା ନ ପାଇ ସରକାରୀ କର୍ମଚାରୀ କାମକୁ ଆସିବା ବନ୍ଦ କଲେଣି। ଏପରିକି ଏବେ ଆମେରିକାର ବହୁ ଏୟାରଲାଇନ୍ସ ସେବା କର୍ମଚାରୀ କାର୍ଯ୍ୟରେ ଯୋଗଦେବାକୁ ଆସୁ ନ ଥିବାରୁ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ରେ ସମସ୍ୟା ଦେଖାଦେବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ନିଜ ଆଭ୍ୟନ୍ତରୀଣ ସମସ୍ୟାରେ ବୁଡ଼ିରହିଥିବା ଆମେରିକା ଏବେ ବିଶ୍ୱ ନେତୃତ୍ୱରେ ନିଜର ସ୍ଥାନକୁ ବଜାୟ ରଖିବା ଜଟିଳ ଦିଶିଲାଣି। ଜାତିସଂଘ ଜଳବାୟୁ ସମ୍ମିଳନୀ ଓ ବିଶେଷକରି ଜି-୨୦ରୁ ଦୂରେଇ ରହିବା ଆମେରିକାକୁ ଭୂରାଜନୈତିକ ଓ ଅର୍ଥନୈତିକ ମୁଖ୍ୟସ୍ରୋତରୁ ଦୂରେଇ ଦେବ ବୋଲି ଆଲୋଚନା ହେଉଛି। America First ବା ଆଗ ଆମେରିକା ନୀତିର ପରୀକ୍ଷଣ ଟ୍ରମ୍ପ୍ ଏବଂ ଆମେରିକାକୁ କେଉଁ ସ୍ତରରେ ନେଇ ପହଞ୍ଚାଇବ ତାହା ସମୟ କହିବ।