ନୂଆଦିଲ୍ଲୀ,୨୬।୮: ଅନେକ ସମୟରେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ ଯେ ଯଦି ଜଣେ ବ୍ୟକ୍ତି ହୋମ ଲୋନ, କାର୍ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି ଏବଂ ଏହି ସମୟରେ ତାଙ୍କର ହଠାତ ମୃତ୍ୟୁ ହୋଇଯାଏ, ତେବେ ବ୍ୟାଙ୍କ ଲୋନ ଛାଡ଼ କରିଦେବ ନା ପରିବାରଠାରୁ ବକେୟା ରାଶି ଆଦାୟ କରିବ? ଅନେକେ ମନେ କରନ୍ତି ଯେ ଏପରି ପରିସ୍ଥିତିରେ ଲୋନ ଛାଡ଼ ହୋଇଯାଏ, କିନ୍ତୁ ବାସ୍ତବରେ ବ୍ୟାଙ୍କ ଆଦାୟ ପ୍ରକ୍ରିୟା ଜାରି ରଖିଥାଏ। ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ ବ୍ୟାଙ୍କ ଲୋନ ଛାଡ଼ କରେ ଏବଂ ଯଦି ଆଦାୟ କରେ ତେବେ କିଏ ଏହାର ଭରଣା କରିବ।
ହୋମ ଲୋନ ପରିସ୍ଥିତି:
ଯଦି ଋଣଗ୍ରହୀତା (borrower)ଙ୍କର ମୃତ୍ୟୁ ହୁଏ, ତେବେ ବ୍ୟାଙ୍କ ପ୍ରଥମେ ସହ-ଋଣଗ୍ରହୀତା (co-borrower)ଙ୍କୁ ବକେୟା ରାଶି ପରିଶୋଧ କରିବାକୁ ଅନୁରୋଧ କରେ। ଯଦି ସହ-ଋଣଗ୍ରହୀତା ନାହାନ୍ତି, ତେବେ ବ୍ୟାଙ୍କ ଗ୍ୟାରେଣ୍ଟର କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କୁ ଦାୟିତ୍ୱ ନେବାକୁ କୁହେ। ଯଦି ଋଣଗ୍ରହୀତା ଲୋନ୍ର ବୀମା (loan insurance) କରିଥାନ୍ତି, ତେବେ ବୀମା କମ୍ପାନୀ ବକେୟା ରାଶି ପରିଶୋଧ କରେ। ଶେଷ ବିକଳ୍ପ ଭାବେ ବ୍ୟାଙ୍କ ସମ୍ପତ୍ତି ନୀଲାମ କରି ଋଣ ଆଦାୟ କରିପାରେ।
କାର ଲୋନ୍ ମାମଲା
କାର ଲୋନ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ବ୍ୟାଙ୍କ ବକେୟା ଋଣ ଆଦାୟ ପାଇଁ ପରିବାର ସହ ଯୋଗାଯୋଗ କରେ। ଯଦି ଆଇନଗତ ଉତ୍ତରାଧିକାରୀ ଋଣ ପରିଶୋଧ କରିବାକୁ ମନା କରନ୍ତି, ତେବେ ବ୍ୟାଙ୍କ ଗାଡ଼ି ଜବତ କରି ନୀଲାମରେ ବିକ୍ରି କରି ନିଜ କ୍ଷତି ପୂରଣ କରିପାରେ।
ଅନସିକ୍ୟୋର୍ଡ ଲୋନରେ କ’ଣ ହୁଏ?
ପର୍ସନାଲ ଲୋନ କିମ୍ବା କ୍ରେଡିଟ କାର୍ଡ ଲୋନ ଭଳି ଅନସିକ୍ୟୋର୍ଡ ଲୋନ୍ରେ ବ୍ୟାଙ୍କ ଆଇନଗତ ଉତ୍ତରାଧିକାରୀ କିମ୍ବା ପରିବାର ସଦସ୍ୟଙ୍କ ଉପରେ ସିଧାସଳଖ ଚାପ ଦେଇପାରେ ନାହିଁ। ତେବେ, ଯଦି ସହ-ଋଣଗ୍ରହୀତା ଥାଆନ୍ତି, ତେବେ ତାଙ୍କଠାରୁ ଆଦାୟ କରାଯାଏ। ଅନ୍ୟଥା, ବ୍ୟାଙ୍କ ଏହି ଲୋନକୁ NPA (ଗୈର-ନିଷ୍ପାଦିତ ସମ୍ପତ୍ତି) ଭାବେ ଘୋଷଣା କରିପାରେ।
ମୋଟାମୋଟି ଭାବେ କହିଲେ ଋଣଗ୍ରହୀତାଙ୍କ ମୃତ୍ୟୁ ପରେ ବ୍ୟାଙ୍କ ଲୋନ ଛାଡ଼ କରେ ନାହିଁ, ବରଂ ସହ-ଋଣଗ୍ରହୀତା, ଗ୍ୟାରେଣ୍ଟର, ଆଇନଗତ ଉତ୍ତରାଧିକାରୀ କିମ୍ବା ସମ୍ପତ୍ତି ନୀଲାମ ମାଧ୍ୟମରେ ବକେୟା ରାଶି ଆଦାୟ କରେ। ତେଣୁ ଲୋନ ନେବା ପୂର୍ବରୁ ବୀମା କଭରେଜ ଏବଂ ନିୟମାବଳୀ ବୁଝି ନେବା ନିହାତି ଜରୁରୀ।