ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେଣୁ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଉଛି । ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାରଠାରୁ ଛାତ୍ରୀଛାତ୍ରଙ୍କୁ ଆତ୍ମନିର୍ଭରଶୀଳ ପାଇଁ ତାଲିମ ଦିଆଯାଉଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ତାଲିମ ଶିବିରକୁ ଉଦଘାଟନ କରିବା ସହ ଛାତ୍ରୀଛାତ୍ରଙ୍କୁ ଫାଇଲ କଭର, ପେନ, ଖାତା ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଅଧ୍ୟାପକ ରଜତ ମିଶ୍ର, ଦୁର୍ଗା ପ୍ରସାଦ ସାହୁ, ବିଦେଶୀ ରାଉତ, ଦେବାଶିଷ ସାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୩୦ ଦିନ ଧରି ହେବାକୁ ଥିବା ଶିବିରର ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ନିଯୁକ୍ତି, ବ୍ୟବସାୟ, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତା ଥିବା ଦକ୍ଷ ଏବଂ ଅଭିଜ୍ଞ ଅଧ୍ୟାପକ, ଅଧ୍ୟାପିକା ଏବଂ ବାହାରୁ ଆସିବାକୁ ଥିବା ତାଲିମଦାତାମାନେ ଛାତ୍ରୀଛାତ୍ରଙ୍କୁ ଆତ୍ମନିର୍ଭରଶୀଳ ପାଇଁ ବିଭିନ୍ନ ତାଲିମ ଦେବେ । ଏନେଇ ତାଲିମ ଦାତାଙ୍କୁ ପ୍ରୋତ୍ସାହନ ରାଶି ସରକାର ପ୍ରଦାନ କରିବେ। ଏଥିସହ ଛାତ୍ରୀଛାତ୍ରଙ୍କୁ ମଧ୍ୟ କିଟ ପ୍ରଦାନ କରାଯିବ। ୬ ମାସ ଧରି ବିଭିନ୍ନ ପର୍ଯ୍ୟାୟରେ ଶତାଧିକ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯିବ। ବିଭିନ୍ନ ଦିବସରେ କେଏସୟୁବି କଲେଜର ଇଲୋକ୍ଟ୍ରୋନିକସ, ଜୁଲୋଜୀ, ବଟନି, ଫିଜିକ୍ସ, ବାଣିଜ୍ୟ, କେମିଷ୍ଟ୍ରି, ଇତିହାସ ବିଭାଗର ଦକ୍ଷ ଏବଂ ଅଭିଜ୍ଞ ଅଧ୍ୟାପିକା, ଅଧ୍ୟାପକମାନେ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୨୫ ଛାତ୍ରୀଛାତ୍ରଙ୍କୁ ତାଲିମ ପ୍ରଦାନ କରାଯାଉଛି।