ନୂଆଦିଲ୍ଲୀ,୧୨।୨: ପାକିସ୍ତାନ ସୁପର ଲିଗ୍ (PSL) ର ୧୧ତମ ସଂସ୍କରଣ ନିଲାମ ପୂର୍ବରୁ ବଡ଼ ବିବାଦ ଦେଖାଦେଇଛି। ଆଫଗାନିସ୍ତାନର ଷ୍ଟାର୍ କ୍ରିକେଟରମାନେ ଶେଷ ମୂହୁର୍ତ୍ତରେ ଏହି ନିଲାମରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଦୁଇ ଦେଶ ମଧ୍ୟରେ ଖରାପ ହେଉଥିବା କୂଟନୈତିକ ସମ୍ପର୍କ ଏବଂ ସୋସିଆଲ ମିଡିଆରେ ଜାରି ରହିଥିବା ବିରୋଧ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଫଗାନିସ୍ତାନର ବିସ୍ଫୋରକ ଓପନର୍ ରହମାନୁଲ୍ଲା ଗୁରବାଜଙ୍କୁ ପେଶାୱାର ଜାଲମି ଫ୍ରାଞ୍ଚାଇଜ୍ ସିଧାସଳଖ ଚୁକ୍ତିବଦ୍ଧ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ଏହି ଚୁକ୍ତିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ବିରୋଧ ହେବା ସହ ଗୁରବାଜ ନିଜକୁ ଲିଗ୍ରୁ ଦୂରେଇ ରଖିଥିଲେ। ଏହି ଘଟଣା ପରେ ଅନ୍ୟ ଆଫଗାନିସ୍ତାନ ଖେଳାଳିମାନେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିବା ଭୟରେ ନିଲାମରୁ ଓହରି ଯାଇଥିଲେ।
ପ୍ରଥମେ ନିଲାମ ପାଇଁ ପଞ୍ଜିକୃତ କରିଥିବା କିନ୍ତୁ ପରେ ଓହରି ଯାଇଥିବା ପ୍ରମୁଖ ଖେଳାଳିମାନେ ହେଲେ ମହମ୍ମଦ ନବୀ, ମୁଜିବ୍ ଉର ରହମାନ, ଫଜଲ ହକ୍ ଫାରୁକି, ସେଦ୍ଦିକୁଲ୍ଲା ଅଟଲ୍ ଏବଂ ୱାକାର ସଲାମଖେଲ୍।
ଏହି ଘଟଣା ପରେ ପିଏସଏଲ୍ର ସିଇଓ ସଲମାନ ନାସିର ସ୍ୱୀକାର କରିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଥିବା ତିକ୍ତ ସମ୍ପର୍କର ପ୍ରଭାବ ନିଲାମ ଉପରେ ପଡ଼ିଛି। ସେ କହିଛନ୍ତି “ଗୁରବାଜଙ୍କୁ ଦଳରେ ସାମିଲ କରିବା ପରେ ସୋସିଆଲ ମିଡିଆରେ ବ୍ୟାପକ ବିରୋଧ ହୋଇଥିଲା। ଏହି କାରଣରୁ ଗୁରବାଜ ନିଜକୁ ବାଦ୍ ଦେଲେ ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ ଏହି ବିବାଦରୁ ବର୍ତ୍ତିବା ପାଇଁ ନିଲାମରୁ ଦୂରେଇ ରହିବାକୁ ଶ୍ରେୟସ୍କର ମଣିଲେ।” ତେବେ କିଛି ଆଫଗାନିସ୍ତାନ ଖେଳାଳି ନିଲାମ ତାଲିକାରେ ଥିଲେ ମଧ୍ୟ କୌଣସି ଫ୍ରାଞ୍ଚାଇଜ୍ ସେମାନଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇନଥିବା ସେ ଦାବି କରିଛନ୍ତି।
ଗତ ବର୍ଷ ଶେଷ ଭାଗରେ ପାକିସ୍ତାନ ସେନା ଆଫଗାନିସ୍ତାନର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଆଫଗାନିସ୍ତାନ ଖେଳାଳିମାନେ ପାକିସ୍ତାନ ସରକାରଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରିଥିଲେ, ଯାହା ଏବେ ଖେଳ ମଇଦାନରେ ମଧ୍ୟ ପ୍ରତିଫଳିତ ହେଉଛି।