ଦିଲ୍ଲୀ ପ୍ରଦୂଷଣ ବିରୋଧରେ ବିକ୍ଷୋଭ: ପୋଲିସ୍ ଉପରେ ଚିଲି ସ୍ପ୍ରେ, ୬ ଅଟକ

ନୂଆଦିଲ୍ଲୀ,୨୩ା୧୧: ଦିଲ୍ଲୀର ଭୟଙ୍କର ବାୟୁ ପ୍ରଦୂଷଣକୁ ବିରୋଧ କରି ରବିବାର ସନ୍ଧ୍ୟାରେ ଇଣ୍ଡିଆ ଗେଟ୍ ଠାରେ ବିକ୍ଷୋଭ ହେବା ପରେ ପରିସ୍ଥିତି ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିକ୍ଷୋଭକାରୀମାନେ ପୋଲିସ୍ ଉପରକୁ ମରିଚ ପାଉଡର (ଚିଲି ସ୍ପ୍ରେ) ମାଡ଼ କରିବାରୁ ୩-୪ ଜଣ ପୋଲିସ୍ ଆହତ ହୋଇଛନ୍ତି। ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ପୋଲିସ୍ ସୂଚନା ଅନୁଯାୟୀ, ଏହି ଘଟଣାରେ ୬ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସ୍ କହିଛି ଯେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀରେ କେବଳ ଜନ୍ତର-ମନ୍ତରରେ ବିକ୍ଷୋଭ ପାଇଁ ଅନୁମତି ରହିଛି, ଇଣ୍ଡିଆ ଗେଟ୍‌ରେ ନୁହେଁ। ଇଣ୍ଡିଆ ଗେଟ୍‌ର ସି-ହେକ୍ସାଗନ୍ ଅଞ୍ଚଳରେ ବିକ୍ଷୋଭକାରୀମାନେ ବାରିକେଡ୍ ଭାଙ୍ଗି ରାସ୍ତାରେ ବସିପଡ଼ିଥିଲେ। ଆମ୍ବୁଲାନ୍ସ ଓ ମେଡିକାଲ୍ ଷ୍ଟାଫ୍‌ଙ୍କ ଯିବାଆସିବାରେ ବାଧା ଉପୁଜୁଥିବାରୁ ପୋଲିସ୍ ସେମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ବିକ୍ଷୋଭକାରୀମାନେ ଉତ୍ତେଜିତ ହୋଇ ମରିଚ ପାଉଡର ସ୍ପ୍ରେ କରିଥିଲେ।

ନୂଆଦିଲ୍ଲୀର ଡିସିପି ଦେବେଶ କୁମାର ମହଲା ଏହି ଘଟଣାକୁ “ଅତ୍ୟନ୍ତ ଅଭାବନୀୟ” ବୋଲି କହିବା ସହ ପ୍ରଥମ ଥର ପାଇଁ ଟ୍ରାଫିକ୍ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ କରୁଥିବା ପୋଲିସ୍ ଉପରେ ମରିଚ ପାଉଡର ସ୍ପ୍ରେ ହୋଇଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଆମ୍ ଆଦମୀ ପାର୍ଟି (ଆପ୍) ମୁଖପାତ୍ର ପ୍ରିୟଙ୍କା କକ୍କଡ଼ ଏହି ପ୍ରଦୂଷଣକୁ “ଜାତୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି” ବୋଲି ଅଭିହିତ କରି କେନ୍ଦ୍ର ସରକାରଙ୍କୁ ଦାୟିତ୍ଵହୀନ ବୋଲି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୯୧ ଛୁଇଁଛି, ଯାହା ‘ଅତି ଖରାପ’ ଶ୍ରେଣୀଭୁକ୍ତ। ୧୯ଟି ମନିଟରିଂ ଷ୍ଟେସନ୍‌ରେ ‘ବିପଦଜନକ’ ସ୍ତର ରେକର୍ଡ ହୋଇଛି ଏବଂ ଏହି ସ୍ଥିତି ଆସନ୍ତା ବୁଧବାର ପର୍ଯ୍ୟନ୍ତ ଜାରି ରହିବାର ପୂର୍ବାନୁମାନ କରାଯାଇଛି। ଏହି ହିଂସାତ୍ମକ ବିକ୍ଷୋଭ ପରେ ପ୍ରଦୂଷଣ ସମସ୍ୟା ଓ ସରକାରୀ ନିଷ୍କ୍ରିୟତାକୁ ନେଇ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି।

Share