ନୂଆଦିଲ୍ଲୀ,୨୭।୫: ସମସ୍ତଙ୍କ ସାମ୍ନାରେ ମାଡ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି। ଆଉ ସେ ବି ନିଜ ସ୍ତ୍ରୀଙ୍କ ହାତରୁ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ମାକ୍ରନଙ୍କ ପତ୍ନୀ ବ୍ରିଜିଟ ମାକ୍ରନ।
ତେବେ ବ୍ରିଜିଟ ମଜାଳିଆ ଢଙ୍ଗରେ ଚାପୁଡ଼ା ମାରିଥିବା ଅନୁମାନ କରାଯାଉଛି। କିନ୍ତୁ, ମାକ୍ରନଙ୍କୁ ତାହା କିଛି ସମୟ ପାଇଁ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓରେ ବିମାନର ଦ୍ୱାର ଖୋଲିବାମାତ୍ରେ ମ୍ୟାକ୍ରନଙ୍କ ମୁହଁକୁ ତାଙ୍କ ପତ୍ନୀ ହାତରେ ବୁଲେଇ ଦେଉଥିବା ଦେଖାଯାଉଛି। ଭିଏତନାମ ରାଜଧାନୀ ହାନୋଇ ପହଞ୍ଚିବାମାତ୍ରେ ମ୍ୟାକ୍ରନଙ୍କ ସହିତ ଏହି କାଣ୍ଡ ହୋଇଯାଇଛି। ‘ଦି ସନ’ର ଏକ୍ସ ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରାଯାଇଛି। ଏବେ ଏହି ଘଟଣା ଆମେରିକା ସମେତ ଫ୍ରାନ୍ସ, ଇଂଲଣ୍ଡ, ଭାରତ, ସୱିଜରଲ୍ୟାଣ୍ଡ ଆଦି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ସ୍ପଷ୍ଟ ରୂପେ ରାଷ୍ଟ୍ରପତିଙ୍କ ମୁହଁର ରଙ୍ଗ ବଦଳି ଯାଇଥିବା ଦେଖାଯାଇଛି।
ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ରବିବାର ଭିଏତନାମ ଗସ୍ତରେ ଯାଇ ରାଜଧାନୀ ହନୋଇରେ ପହଞ୍ଚିଥିଲେ। ତାଙ୍କ ସାଥୀରେ ଥିଲେ ସ୍ତ୍ରୀ ବ୍ରିଜିଟ। ବିମାନରୁ ଓହ୍ଲାଇବା ସମୟରେ ବ୍ରିଜିଟ ଏମାନୁଏଲ ମାକ୍ରନଙ୍କୁ ଦୁଇ ହାତରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ସେହି ସମୟରେ ବ୍ରିଜିଟଙ୍କ ମୁହଁ ବାହାରକୁ ଦେଖାଯାଇ ନ ଥିଲା। କିଛି ସମୟ ପରେ ବ୍ରିଜିଟ ବାହାରକୁ ବାହାରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।
ବ୍ରିଜିଟଙ୍କ ଚାପୁଡ଼ା ପରେ ମାକ୍ରନ କିଛି ସମୟ ପାଇଁ ଅସହଜ ଅନୁଭବ କରିଥିଲେ। କିନ୍ତୁ, ପରେ ନିଜକୁ ସଜାଡ଼ି ବିମାନ ବାହାରକୁ ହାତ ହଲାଇଥିଲେ। ତେବେ ଏହାକୁ ନେଇ ସାରା ବିଶ୍ୱରେ ଚହଳ ସୃଟେି ହୋଇଛି। କିନ୍ତୁ, ମାକ୍ରନଙ୍କ ପ୍ରତି ଏହା ବ୍ରିଜିଟଙ୍କ ଭଲପାଇବା ବୋଲି କୁହାଯାଉଛି। ଉଭୟେ ସାମୀ-ସ୍ତ୍ରୀ ହୋଇଥିବାରୁ ବ୍ରିଜିଟ ଥଟ୍ଟାମଜାରେ ଏପରି କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି ।