ALEXANDER ZVEREV (GER) TENNIS - FRENCH OPEN - ROLAND GARROS - ATP - WTA - ITF - GRAND SLAM - CHAMPIONSHIPS - PARIS - FRANCE - 2021 © TENNIS PHOTO NETWORK
ପ୍ୟାରିସ,୩।୬: ଫ୍ରେଞ୍ଚ୍ ଓପନ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭେରେଭ୍, ୧୫ତମ ସିଡ୍ ଖେଳାଳି ନରଓ୍ବେର କାସପର ରୁଡ୍, ୨୭ତମ ସିଡ୍ ଇଟାଲୀର ଫାବିଓ ଫୋଗନିନି, ୩୧ତମ ସିଡ୍ ଖେଳାଳି ଆମେରିକାର ଜନ୍ ଇସ୍ନର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜେଭେରେଭ ୭-୬, ୬-୩, ୭-୬ ସେଟ୍ରେ କ୍ୱାଲିଫାୟର ରୋମାନ ସାଫିଉଲିନ୍ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ତୃତୀୟ ରାଉଣ୍ଡରେ ଜେଭେରେଭ ସର୍ବିଆର ଲାସଲୋ ଡେରେଙ୍କୁ ଭେଟିବେ। ଟପ୍ ସିଡ୍ ନୋଭାକ ଜୋକୋଭିଚ୍ ବୁଧବାର ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ୬-୨, ୬-୪, ୬-୨ ସେଟ୍ରେ ଆମେରିକାର ଟେନିସ ସାଣ୍ଡଗ୍ରେନଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଫୋଗନିନି ୭-୬, ୬-୧, ୬-୨ ସେଟ୍ରେ ହଙ୍ଗେରୀର ମାର୍ଟନ ଫକୋଶୋଭିକ୍ସଙ୍କୁ ଭେଟିବେ। ଇସ୍ନର ୭-୬, ୬-୧, ୭-୬ ସେଟ୍ରେ ଫିଲିପ୍ କ୍ରାଜିନୋଭିକଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
କଲିନ୍ସ, ଭେସନିନା ତୃତୀୟ ରାଉଣ୍ଡକୁ ଉଠିଲେ
ମହିଳା ସିଙ୍ଗଲ୍ସରେ ଆମେରିକାର ଡାନିଏଲ କଲିନ୍ସ ୬-୦, ୬-୨ ସେଟ୍ରେ ଆନହେଲିନା କାଲିଆନାଙ୍କୁ ଦ୍ୱିତୀୟ ରାଉଣ୍ଡରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ରୁଷିଆର ଏଲିନା ଭେସନିନା ଦ୍ୱିତୀୟ ରାଉଣ୍ଡରେ ଓ୍ବାକଓଭର ପାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ଖେଳାଳିମାନେ ହେଲେ ଟି. ଜିଡାନସେକ, କେ. ସିନିଆକୋଭା, ଏସ୍. ସିର୍ଷ୍ଟିଆ, ଡି. କାସାଟକିନା, ପି. ହେରକୋଗ, ଏମ. ଭୋଣ୍ଡ୍ରୋଉଶୋଭା, ପି. ବଡୋଶା, ଏ. ବୋଗଡାନ।