Tennis - French Open - Roland Garros, Paris, France - October 6, 2020 Spain's Rafael Nadal in action during his quarter final match against Italy's Jannik Sinner REUTERS/Christian Hartmann
ପ୍ୟାରିସ୍,୮।୧୦(ଏପି): କ୍ଲେ କୋର୍ଟର ରାଜା କୁହାଯାଉଥିବା ସ୍ପେନ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଫ୍ରେଞ୍ଚ୍ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରି ପରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ୧୨ଥର ଫ୍ରେଞ୍ଚ୍ ଓପନ ଟାଇଟଲ ହାସଲ କରିଥିବା ନାଡାଲ ଇଟାଲୀର ୧୯ ବର୍ଷୀୟ ଖେଳାଳି ଜାନିକ ସିନରଙ୍କୁ ୭-୬, ୬-୪, ୬-୧ ସେଟ୍ରେ ପରାସ୍ତ କରିଥିଲେ। ୭୫ମ ର଼୍ୟାଙ୍କର ସିନର ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲ ଖେଳିଥିଲେ। ଏଥିସହିତ ଦ୍ୱିତୀୟ ସିଡ୍ ମାନ୍ୟତା ପାଇଥିବା ନାଡାଲ ରେକର୍ଡ ୧୩ଥର ପାଇଁ ଫ୍ରେଞ୍ଚ୍ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍ ରାତି ୧.୩୦ରେ ଶେଷ ହୋଇଥିଲା। ପ୍ୟାରିସ୍ର ପାଗ ଏବେ ବେଶ୍ ଥଣ୍ଡା ରହିଛି। ଫଳରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ନାଡାଲ କହିଛନ୍ତି। ଏଥର ସଫଳ ହେଲେ ନାଡାଲ କ୍ୟାରିୟରର ୧୩ତମ ଫ୍ରେଞ୍ଚ୍ ଓପନ ଓ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ସହିତ ରୋଜର ଫେଡରରଙ୍କ ସମକକ୍ଷ ହେବେ। ଫ୍ରେଞ୍ଚ୍ ଓପନ୍ରେ ନାଡାଲ ୯୮ଟି ମ୍ୟାଚ୍ରେ ବିଜୟ ହାସଲ କରିଥିବା ବେଳେ ମାତ୍ର ୨ଟି ରେ ପରାସ୍ତ ହୋଇଛନ୍ତି। ପୁଣି ସେମିଫାଇନାଲ ଓ ଫାଇନାଲ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ନାଡାଲ ସବୁ ୨୪ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ଆଦୌ ପରାସ୍ତ ହୋଇନାହାନ୍ତି। ତେବେ ସିନରଙ୍କ ପ୍ରଦର୍ଶନକୁ ନାଡାଲ ପ୍ରଶଂସା କରିଛନ୍ତି। ସେ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ଓ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି।
ନାଡାଲ ସେମିଫାଇନାଲରେ ଆର୍ଜେଣ୍ଟିନାର ଦ୍ୱାଦଶ ସିଡ୍ ଖେଳାଳି ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ଭେଟିବେ। ସ୍ବାର୍ଜମ୍ୟାନ ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରିଆର ତୃତୀୟ ସେଟ୍ ଖେଳାଳି ଡୋମିନିକ୍ ଥିମ୍ଙ୍କୁ ମରାଥନ ୭-୬, ୫-୭, ୬-୭, ୭-୬, ୬-୨ ସେଟ୍ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ବାର୍ଜମ୍ୟାନ ତାଙ୍କ କ୍ୟାରିୟରର ପ୍ରଥମ ସେମିରେ ପ୍ରବେଶ କରିଛନ୍ତି। ବିଜୟୀ ହେବା ପାଇଁ ତାଙ୍କ ୫ ଘଣ୍ଟା ସମୟ ଲାଗିଥିଲା। ପୂର୍ବରୁ କୌଣସି ଗ୍ରାଣ୍ଡସ୍ଲାମରେ ୨୮ ବର୍ଷୀୟ ସ୍ବାର୍ଜମ୍ୟାନ କୌଣସ ଟପ୍-୫ ଖେଳାଳିଙ୍କୁ ପରାସ୍ତ କରି ନ ଥିଲେ। ପୂର୍ବରୁ ସେ ବିଭିନ୍ନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ପରାସ୍ତ ହୋଇଥିଲେ। ଜବରଦସ୍ତ ଫର୍ମରେ ଥିଲେ ମଧ୍ୟ ଥିମ୍ ବିଜୟୀ ହେବାକୁ ସକ୍ଷମ ହୋଇ ନ ଥିଲେ। ବିଜୟୀ ହୋଇପାରି ନ ଥିବାରୁ ସେ ନୈରାଶ୍ୟ ଜାହିର କରିଛନ୍ତି। ସେମିଫାଇନାଲରେ ଅଭିଜ୍ଞତା ଦୃଷ୍ଟିକୋଣରୁ ନାଡାଲ ଫେଭରାଇଟ୍ ବିବେଚିତ ହେଉଛନ୍ତି।