Tennis - French Open - Roland Garros, Paris, France - September 28, 2020 Spain's Rafael Nadal in action during his first round match against Belarus' Egor Gerasimov REUTERS/Gonzalo Fuentes
ପ୍ୟାରିସ୍,୧୦।୧୦(ଏପି): କ୍ଲେ କୋର୍ଟର ରାଜା ବିବେଚିତ ହେଉଥିବା ସ୍ପେନର ରାଫାଲ ନାଡାଲ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ୍ରେ ଦ୍ୱିତୀୟ ସିଡ୍ ନାଡାଲ ଦ୍ୱାଦଶ ସିଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ୬-୩, ୬-୩, ୭-୬ ସେଟ୍ରେ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ଗତ ମାସ ଇଟାଲ୍ିଆନ ଓପନ୍ ଫାଇନାଲରେ ନାଡାଲଙ୍କୁ ପରାସ୍ତ କରି ସ୍କ୍ବାର୍ଜମ୍ୟାନ ଟାଇଟଲ ଜିତିଥିଲେ ମଧ୍ୟ ସେହି ସଫଳତାକୁ ଏଠାରେ ଦୋହରାଇ ପାରି ନ ଥିଲେ। ଏଥିସହ ନାଡାଲ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲରୁ ଆଉ ମାତ୍ର ଗୋଟିଏ ପାଦ ଦୁରରେ ରହିଛନ୍ତି।
ପ୍ରଥମ ଦୁଇଟି ସେଟ୍କୁ ୩୪ ବର୍ଷୀୟ ନାଡାଲ ଅତି ସହଜରେ ଜିତି ନେଇଥିଲେ। ତେବେ ତୃତୀୟ ସେଟ୍ରେ ସ୍କ୍ବାର୍ଜମ୍ୟାନ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ବିଜୟୀ ହେବାକୁ ନାଡାଲଙ୍କୁ ୩ ଘଣ୍ଟା ୯ ମିନିଟ୍ ସମୟ ଆବଶ୍ୟକ ହୋଇଥିଲା। ରୋଲାଣ୍ଡ ଗାରୋସ୍ରେ ନାଡାଲ ମାତ୍ର ୨ଥର ପରାସ୍ତ ହୋଇଛନ୍ତି। ସେ ୧୩ଥର ଫ୍ରେଞ୍ଚ୍ ଓପନ ସେମିରେ ପ୍ରବେଶ କରି ସବୁଥିରେ ବିଜୟ ହାସଲ କରିଛନ୍ତି। ଫାଇନାଲରେ ନାଡାଲ ଟପ୍ ସିଡ ସର୍ବିୟାର ନୋଭାକ ଜୋକୋଭିଚ୍ କିମ୍ବା ଗ୍ରୀସ୍ର ପଞ୍ଚମ ସିଡ୍ ଖେଳାଳି ଷ୍ଟିଫାନୋଜ ସିତିସପାସ୍ଙ୍କୁ ଭେଟିବେ। ୧୩ଥର ଫ୍ରେଞ୍ଚ୍ ଓପନ ଫାଇନାଲରେ ପ୍ରବେଶ କରିଥିବା ନାଡାଲ ବିଜୟୀ ହେଲେ ସୁଇଜରଲାଣ୍ଡର ରୋଜର ଫେଡେରରଙ୍କ ୨୦ତମ ଗ୍ରାଣ୍ଡସ୍ଲାମ ବିଜୟ ରେକର୍ଡର ସମକକ୍ଷ ହେବେ। ନାଡାଲ ଏହାକୁ ମିଶାଇ ୨୮ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ଫ୍ରେଞ୍ଚ୍ ଓପନରେ ନାଡାଲ ଏପର୍ଯ୍ୟନ୍ତ ୧୦୧ଟି ମ୍ୟାଚ୍ ଖେଳିଛନ୍ତି। ସେଥିରୁ ସେ ୯୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛନ୍ତି। ଅପରପକ୍ଷରେ ପ୍ରଥମଥର ପାଇଁ ଫ୍ରେଞ୍ଚ୍ ଓପନ ଫାଇନାଲରେ ଖେଳିବାକୁ ଲକ୍ଷ୍ୟ ରଖିଥିବା ସ୍କ୍ବାର୍ଜମ୍ୟାନଙ୍କ ଆଶା ଧୂଳିସାତ ହୋଇଛି। ବିଜୟ ନିଶ୍ଚିତ ଭାବେ କଷ୍ଟସାଧ୍ୟ ଥିଲା ବୋଲି ନାଡାଲ କହିଛନ୍ତି। ସ୍କ୍ବାର୍ଜମ୍ୟାନଙ୍କ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି।