କେନ୍ଦୁଝର/ଯୋଡ଼ା,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ/ମାନସ ମହାନ୍ତି):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବାମେବାରି ନିକଟ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ାରେ ଗୁରୁବାର ସକାଳ ସମୟରେ ହାତୀ ପାଇଁ ଟ୍ରେନ୍ ଅଟକିଥିଲା। ହାତୀପଲ ଦେଖି ଲୋକୋପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ସୁରକ୍ଷିତ ଭାବେ ହାତୀପଲ ରେଳଧାରଣାକୁ ଅତିକ୍ରମ କରିଥିଲେ। ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ବନ ବିଭାଗ ସୂଚନା ଅନୁଯାୟୀ, ଯୋଡା ସେକ୍ସନର ଗୁରୁବେଡ଼ା ଜଙ୍ଗଲରେ ୯ଟି ହାତୀ ଓ ମହାପର୍ବତ ଅଞ୍ଚଳରେ ୧୫ଟି ହାତୀ ବିଚରଣ କରୁଛନ୍ତି। ଉକ୍ତ ପଲ ମଧ୍ୟରୁ ୧୪ଟି ହାତୀ ସକାଳ ସମୟରେ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ା ଦେଇ ଯାଇଥିବା ରେଳଧାରଣା ଅତିକ୍ରମ କରୁଥିଲେ। ଏହି ସମୟରେ ମାଲବାହୀ ଟ୍ରେନ୍ ଆସିଥିବା ବେଳେ ହାତୀ ଟ୍ରେନକୁ ଦେଖି ଅଟକି ଯାଇଥିଲେ। ମାଲବାହୀ ଟ୍ରେନ ଚାଳକ ଜାଣି ପାରି କିଛି ଦୂରରେ ଟ୍ରେନ୍ଟିକୁ ଅଟକାଇ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେଉଛି।