Categories: Home Leftଖେଳ

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ ଇଭ୍‌ରେ ହାର୍ଦ୍ଦିକ ତାଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ସହ ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ।

ମାହିକାଙ୍କୁ କାରରେ ବସାଇବା ପରେ ହାର୍ଦ୍ଦିକ କିଛି ପ୍ରଶଂସକଙ୍କୁ ସେଲଫି ଦେଇଥିଲେ। କିନ୍ତୁ ଅଧିକ ଫଟୋ ପାଇଁ ପ୍ରଶଂସକମାନେ ଅନୁରୋଧ କରିବାରୁ ହାର୍ଦ୍ଦିକ କହିଥିଲେ, “ନେଇତ ଗଲ, ଆଉ କେତେ ନେବ?”। ଏହି ସମୟରେ ଜଣେ ଫ୍ୟାନ୍ ସୀମା ଲଙ୍ଘି ତାଙ୍କୁ “ଭାଡ୍ ମେଁ ଜା” (ନର୍କକୁ ଯାଅ) ବୋଲି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ଶୁଣି ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା କୌଣସି ପ୍ରତିକ୍ରିୟା ନ ଦେଇ ସେଠାରୁ ଚାଲିଯାଇଥିଲେ, ଯାହା ତାଙ୍କର ପରିପକ୍ୱତା ଦେଖାଇଛି।

ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ T20I ସିରିଜ୍‌ରେ ଭାରତୀୟ ଦଳର ଅଂଶ ଥିଲେ। ସିରିଜ୍‌ର ଶେଷ ତଥା ପଞ୍ଚମ ମ୍ୟାଚରେ ସେ ମାତ୍ର ୧୬ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଭାରତ ପାଇଁ ଦ୍ୱିତୀୟ ଦ୍ରୁତତମ T20I ଅର୍ଦ୍ଧଶତକର ରେକର୍ଡ କରିଥିଲେ। ସେ ଏହି ମ୍ୟାଚରେ ୫ ଚୌକା ଓ ୫ ଛକା ସହାୟତାରେ ୨୫ ବଲ୍‌ରେ ୬୩ ରନ୍ କରିଥିଲେ।

T20I ରେ ଅର୍ଦ୍ଧଶତକ ସହ ଅତିକମ୍‌ରେ ଗୋଟିଏ ୱିକେଟ୍ ନେବାରେ ସେ ଯୁବରାଜ ସିଂହଙ୍କୁ ଅତିକ୍ରମ କରି ଭାରତ ପାଇଁ ସର୍ବାଧିକ (୪ ଥର) ରେକର୍ଡ କରିଛନ୍ତି। ସିରିଜରେ ସେ ୩ଟି ଇନିଂସରେ ୭୧ ହାରରେ ଓ ୧୮୬.୮୪ ଷ୍ଟ୍ରାଇକ୍ ରେଟରେ ୧୪୨ ରନ୍ ସ୍କୋର କରି ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ ଏବଂ ୩ଟି ୱିକେଟ୍ ମଧ୍ୟ ନେଇଥିଲେ।