ଆଜାଦୀ କା ଅମୃତ ମହୋତ୍ସବ: ୫ରୁ ୧୫ ପର୍ଯ୍ୟନ୍ତ ଦେଶର ସମସ୍ତ ଐତିହ୍ୟସ୍ଥଳୀକୁ ପ୍ରବେଶ ମାଗଣା

ନୂଆଦିଲ୍ଲୀ,୪।୮: ଭାରତର ପ୍ରତ୍ନତାତ୍ତ୍ୱକ ସର୍ବେକ୍ଷଣ(ଏଏସ୍‌ଆଇ) ଅଧୀନରେ ଥିବା ସମସ୍ତ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକମାନେ ମାଗଣାରେ ପ୍ରବେଶ କରିପାରିବେ। ଏହି ସୁବିଧା ଆସନ୍ତା ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବୁଧବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଦେଶବ୍ୟାପୀ ଜାରି ରହିଥିବା ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ପର୍ଯ୍ୟଟକଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। ଆଜାଦୀ କା ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଅ୍ୟନପକ୍ଷେ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀରେ ତାଜମହଲ, ଲାଲକିଲ୍ଲା, ସାଞ୍ଚି ସ୍ତୁପ, ଖଜୁରାହ, ଫତେହପୁର ସିକ୍ରି, ହୁମାୟୁନଙ୍କ ସମାଧି ଇତ୍ୟାଦି ଅନ୍ତର୍ଭୁକ୍ତ। ସୂଚନା ମୁତାବକ ବର୍ତ୍ତମାନ ଏଏସ୍‌ଆଇର ସୁରକ୍ଷା ଅଧୀନରେ ୩,୬୯୧ ସ୍ମାରକୀ ରହିଛି। ଯେଉଁଥିରୁ ଉତ୍ତରପ୍ରଦେଶରେ ସର୍ବାଧିକ ୭୪୫ ସ୍ମାରକୀ ମଧ୍ୟରେ ୧୪୩ଟି ସ୍ଥଳ ଏବଂ ସ୍ମାରକୀ ପ୍ରବେଶ ପାଇଁ ଟିକେଟ ଲାଗିଥାଏ।