ମହାନଦୀ ନେତ୍ର ଚିକିତ୍ସାଳୟର ନାଁ ନେଇ ଠକେଇ…

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ନାଁ ନେଇ ଅନେକ ବ୍ୟକ୍ତି ବିଭ୍ରାନ୍ତି ଓ ଠକାମୀ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଏହାର କର୍ମକର୍ତ୍ତାମାନେ ଲୋକଙ୍କୁ ସଚେତନ ହେବାକୁ ନିବେଦନ କରିଛନ୍ତି । ପାଖାପାଖି ବର୍ଷେ ହେଲା ବୌଦ୍ଧ, ବଲାଙ୍ଗୀର ଓ ଅନୁଗୋଳ ଆଦି ଅନେକ ଅଞ୍ଚଳରୁ ବାରମ୍ବାର ଏଭଳିଆ ଅଭିଯୋଗ ମିଳିବା ପରେ ଚିକିତ୍ସାଳୟ ତତ୍ପରତା ପ୍ରକାଶ କରିଛି। ଏ ନେଇ ଜନସାଧାରଣଙ୍କୁ ଅବଗତ କରାଯାଇଛି। ଅନେକ ଠକ ସଂସ୍ଥା ମହାନଦୀ ନେତ୍ର ଚିକିତ୍ସାଳୟର କର୍ମଚାରୀ ଓ ଡାକ୍ତରଙ୍କ ନାଁ ନେଇ ଲୋକଙ୍କୁ ଠକାମୀ କରୁଥିବା କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଚିକିତ୍ସାଳୟର ସମସ୍ତ ଗାଡ଼ିରେ ମହାନଦୀ ନେତ୍ର ଚିକିତ୍ସାଳୟ ବୋଲି ଲେଖାଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସ୍ଥାନୀୟ ପଣ୍ଡାପାଲି ଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ତଥା ଜୁନାଗଡ଼ ଓ ଝାରସୁଗୁଡ଼ା ଠାରେ ଏହାର କାର୍ଯ୍ୟାଳୟ ମଧ୍ୟ ରହିଛି । ଏଣୁ ଲୋକେ ସଚେତନ ରହିବାକୁ ଓ ଠକାମୀରେ ନ ପଡ଼ିବାକୁ ଚିକିତ୍ସାଳୟ ପକ୍ଷରୁ ଅନୁରୋଧ କରାଯିବା ସହ ଅନ୍ୟ ସଂସ୍ଥା ଦାରା ମହାନଦୀ ନେତ୍ର ଚିକିତ୍ସାଳୟର ନାଁ ନେଇ କିଛି ଅଘଟଣ ଘଟିଲେ ସେଥିପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ ଦାୟି ହେବ ନାହିଁ ବୋଲି କର୍ମକର୍ତ୍ତା କହିଛନ୍ତି । ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟର୍ନିବାହୀ ପ୍ରଶାନ୍ତ କୁମାର ନାଏକ, ଚକ୍ଷୁ ସେବା କାର୍ଯ୍ୟକ୍ରମ ପରିଚାଳକ ମାଧବ ଚନ୍ଦ୍ର ମିଶ୍ର, ଚିକିତ୍ସାଳୟର ପ୍ରଶାସକ ବିଭୁପ୍ରସାଦ ବଳିୟାରସିଂହ ଓ ଜନ ସମ୍ପର୍କ ଅଧିକାରୀ ଜି. ଗୋପାଳ ପ୍ରମୁଖ ଏଭଳି ସୂଚନା ଦେଇଛନ୍ତି ।