କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ଅନ୍ତର୍ଗତ ସାନଡେଙ୍ଗିନିଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ମହିଳାମାନେ ହେଲେ ପତେ କାଡ୍ରାକା (୨୮), କୁଡୁଞ୍ଜି କାଡ୍ରାକା (୫୦), ପାଉଲି କାଡ୍ରାକା (୩୫) ଓ ମାଲ କାଡ୍ରାକା।
ଗ୍ରାମବାସୀଙ୍କ କହିବା ଅନୁସାରେ, ଉକ୍ତ ମହିଳାମାନେ ଗୁରୁବାର ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ସମ୍ପର୍କୀୟଙ୍କୁ ଦେଖିବାକୁ ଯିବା ସମୟରେ କଲ୍ୟାଣସିଂହପୁର ଅଞ୍ଚଳର ଏକ ଦୋକାନରୁ କମ୍ ଦାମରେ ମରିଯାଇଥିବା କୁକୁଡ଼ା କିଣିକି ନେଇଥିଲେ। ସାରେ ଘରକୁ ନେଇ ରୋଷେଇ କରି ଖାଇଥିଲେ। ଶୁକ୍ରବାର ସକାଳେ ସେମାନଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇଯିବାରୁ ପରିବାର ଲୋକେ ସେମାନଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିବା କାର୍ଯ୍ୟରତ ଡାକ୍ତର ସୌମ୍ୟ ରଞ୍ଜନ ମିଶ୍ର କହିଛନ୍ତି । ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସାନଡେଙ୍ଗନେଲି ଗାଁରେ ପହଞ୍ଚି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଥିବା ଜଣାପଡ଼ିଛି।