କୂଅରେ ପଡ଼ିଥିଲା ବାର୍‌ହା: ଉଦ୍ଧାର ପରେ ଯାହା ଘଟିଲା…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସଂଲଗ୍ନ ରାଧାଦେଇପୁର କାଳୀ ମନ୍ଦିର ନିକଟ କୂଅରେ ପଡ଼ିଥିବା ଏକ ବାର୍‌ହାକୁ ଶନିବାର ଅଗ୍ନିଶମ ବାହିନୀ ଓ ପାଟପୁର ସେକ୍ସନ ବନ କର୍ମଚାରୀ ଉଦ୍ଧାର କରିଥିଲେ। ହେଲେ ବାର୍‌ହାଟି ଜାଲରୁ ଖସି ପଳାଇବା ବେଳେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଆକ୍ରମଣ କରିଛି।

ଆହାତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ରାଧାଦେଇପୁରର ବୁଦ୍ଧିଆ ସାହୁ, ପାଟପୁରର ନାରାୟଣ ନାୟକ, ଅଜୟ ସ୍ବାଇଁ, ମହିଳା ଜଣକ ବାଲିପଡା ଗ୍ରାମର ବୋଲି ଜଣାପଡିଛି।

ବାରାହାଟି ବାଟବଣା ହୋଇ କୂଅରେ ପଡ଼ିଥିବା ସାହି ଲୋକ ଜାଣିବା ପରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କୂଅରୁ ବାରାହାକୁ ଉଦ୍ଧାର କରିଥିଲେ। ହେଲେ ବାର୍‌ହାଟି ଜାଲରୁ ଖସି ଘୋଡ଼ାହାଡ଼ ନଦୀ ଆଡ଼କୁ ଦଉଡି ଥିଲା। ନଦୀକୁ ଗାଧୋଇ ଯାଇଥିବା ନାରାୟଣଙ୍କୁ ପ୍ରଥମେ ବାରହାଟି ଆକ୍ରମଣ କରିଥିଲା। ସେ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ, ଜଙ୍ଘ, ହାତ, ପାଦକୁ ବାରହା ଆକ୍ରମଣ କରିଥିଲା। ପରେ ଅଜୟ ଏବଂ ବୁଦ୍ଧିଆଙ୍କୁ ଆକ୍ରମଣ କରିଥିଲା। ମହିଳା ଜଣକ ପାଟପୁର ନଦୀ ତଟରେ ଦେବଦାରୁ ଗଛରୁ ପତ୍ର ତୋଳୁ ଥିବା ବେଳେ ବାରହା ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ବାହନ ଦାସ ସୂଚନା ଦେଇଛନ୍ତି। ଏନେଇ ଦିଗପହଣ୍ଡି ବନ ବିଭାଗ ରେଞ୍ଜର ଦିବ୍ୟରଞ୍ଜନ ସାହୁଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ଆହତମାନଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

 

Share