ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଗଳା ଟିପି ହତ୍ୟା କରିଛନ୍ତି। ହତ୍ୟା ପରେ ଅଭିଯୁକ୍ତ ଜଣକ ନିଜେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଅଭିଯୁକ୍ତ ସଚିନ ସିଂ ଏବଂ ଶ୍ୱେତା ସିଂ ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ସଚିନଙ୍କ କହିବା ଅନୁସାରେ, ସେ ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ଶୁକ୍ରବାର ରାତିରେ ସେ ହଠାତ୍ ଘରକୁ ଫେରିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଥାନାରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲା।
ସଚିନ ଅଭିଯୋଗ କରିଛନ୍ତି ଯେ, ଘରକୁ ଫେରିବା ପରେ ଶ୍ୱେତା ତାଙ୍କ ପ୍ରେମିକମାନଙ୍କୁ ପୋଲିସ କବଳରୁ ମୁକ୍ତ କରିବାକୁ ଚାପ ପକାଇଥିଲେ ଏବଂ ସେମାନଙ୍କ ସହ ରହିବାକୁ ଧମକ ଦେଇଥିଲେ। ଯୁକ୍ତିତର୍କ ସମୟରେ ରାଗରେ ଆସି ସଚିନ ନିଜ ସ୍ତ୍ରୀଙ୍କୁ ଗଳା ଟିପି ହତ୍ୟା କରିଥିଲେ ଏବଂ ମୃତଦେହକୁ ଏକ କମ୍ବଳରେ ଗୁଡ଼ାଇ ରଖିଥିଲେ।
ତା ପରଦିନ ସଚିନ ନିଜେ ପୋଲିସ ନିକଟକୁ ଯାଇ ଅପରାଧ ସ୍ୱୀକାର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୂର୍ବରୁ ଅଭିଯୁକ୍ତକୁ ପୋଲିସ ଛାଡ଼ି ଦେଇଥିବାରୁ, ଏହି ହତ୍ୟାକାଣ୍ଡ ପାଇଁ ପୋଲିସର ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।