ଇନ୍ଦୋର,୬।୨: ଦିନ ଥିଲା ପୋଲିସକୁ ଦେଖି ଲୁଚି ଯାଉଥିଲେ ଅପରାଧୀ। ହେଲେ ଏବେ ଖୁଲମ୍ଖୁଲା ଭାବେ ଚାଲିଛି ଅପରାଧ। ରୋକିବାକୁ ଯାଇ ପୋଲିସ ହଟହଟା ହେବା ସହ ମାଡ଼ ଖାଉଛନ୍ତି। ମଧ୍ୟପ୍ରଦେଶରେ ଏଭଳି କିଛି ଦୃଶ୍ୟ ଖବର ଶିରୋନାମା ପାଲଟିଛି। ଏଠାରେ ଅପରାଧୀଙ୍କ ସାହସ ଏତେ ବଢ଼ିଯାଇଛି ଯେ ସେମାନେ ଜଣେ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଅପହରଣ କରି ନିଷ୍ଠୁର ଭାବରେ ମାଡ଼ ମାରି ଭୁଲ ମାଗିବାକୁ ବାଧ୍ୟ କରିଛନ୍ତି। ମାଡ଼ ମାରିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଚାରି ଜଣ ଯୁବକ ଏସ୍ଆଇଙ୍କୁ ମାଡ଼ ମାରୁଥିବାର ଦେଖାଯାଉଛି।
ଇନ୍ଦୋରର ବାଣଗଙ୍ଗା ପୋଲିସ ଷ୍ଟେସନରେ ନିଯୁକ୍ତ ସବ-ଇନ୍ସପେକ୍ଟର ତେରେଶ୍ୱର ଇକ୍କାଙ୍କୁ ଚାରି ଜଣ ଯୁବକ ନିର୍ମମ ଭାବରେ ମାଡ଼ ମାରିଥିଲେ। ଅଭିଯୁକ୍ତ ଯୁବକମାନେ କାର୍ରେ ବସି ମଦ୍ୟପାନ କରୁଥିଲେ। ଏହି ସମୟରେ ସବ-ଇନ୍ସପେକ୍ଟର ତାଙ୍କୁ ମଦ୍ୟପାନ କରିବାରୁ ବାରଣ କରିଥିଲେ। ଏଥିରେ ଅଭିଯୁକ୍ତମାନେ ଏତେ ରାଗି ଯାଇଥିଲେ ଯେ ସେମାନେ ସବ-ଇନ୍ସପେକ୍ଟରଙ୍କୁ ଜୋରଜବରଦସ୍ତ କାରରେ ବସାଇ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେମାନେ ପ୍ରଥମେ ସବ-ଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ ଏବଂ ପରେ ଏକ ଭିଡିଓ ତିଆରି କରି କ୍ଷମା ମାଗିବାକୁ କହିଥିଲେ।
ଘଟଣା ପରେ, ଏସଆଇ ତରେଶ୍ୱର ଇକ୍କା ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ, ପ୍ରଥମେ ପୋଲିସ କର୍ମଚାରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ପରେ ଗାଡ଼ିର ନମ୍ବର ଆଧାରରେ ଅଭିଯୁକ୍ତଙ୍କ ସନ୍ଧାନ ଆରମ୍ଭ ହୋଇଥିଲା। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଯୋବାଟ ଜେଲରେ ନିୟୋଜିତ ଜଣେ ଜେଲରକ୍ଷୀଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ନିୟୋଜିତ ହୋଇଛନ୍ତି।
ଏସ୍ଆଇ ତେରେଶ୍ୱର ଇକ୍କା କହିଛନ୍ତି ଯେ ମାଡ଼ ସମୟରେ ସେ ୱାୟାରଲେସ ମାଧ୍ୟମରେ ସାହାଯ୍ୟ ମାଗିଥିଲେ କିନ୍ତୁ କେହି ତାଙ୍କୁ ସାହାଯ୍ୟ କରି ନ ଥିଲେ। ଅଭିଯୁକ୍ତମାନେ ଏସ୍ଆଇଙ୍କୁ ଏକ କାର୍ରେ ନେଇ ମେଟ୍ରୋରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ବସାଇଥିଲେ। ଏଠାରେ ସେ ଏସଆଇଙ୍କ ଉପରେ ଚାନ୍ଦା ଆଦାୟର ଅଭିଯୋଗ ଆଣି ଶ୍ରମିକମାନଙ୍କ ସମ୍ମୁଖରେ ତାଙ୍କଠାରୁ କ୍ଷମା ମଗାଇଥିଲେ। ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କୁ ତାଙ୍କ ନାମ ପଚାରି ମାରୁଥିବା ଏବଂ ତାଙ୍କୁ ମାଡ଼ ମାରୁଥିବା ଦେଖାଯାଉଛି।