Categories: HomeHome Left

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ ଶକ୍ତି ବିଭାଗ ଅଧୀନ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ(ଓଏଚ୍‌ପିସି) ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୨୨-୨୩ ବର୍ଷର ଲାଭାଂଶ ବାବଦକୁ ୧ କୋଟି ୩୫ ଲକ୍ଷ ୭୮ ହଜାର ୫୦୨ ଟଙ୍କା ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ପକ୍ଷରୁ ୨୦୨୩-୨୪ ବର୍ଷର ଲାଭାଂଶ ଯୋଗୁ ୧୧୧ କୋଟି ୮୨ ଲକ୍ଷ ୪୮ ହଜାର ୭୦୦ ଟଙ୍କା ଏବଂ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ ପକ୍ଷରୁ ୯୨ କୋଟି ୨୧ ଲକ୍ଷ ୯୧ ହଜାର ୯୧୧ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏହିଭଳି ଭାବେ ୪ଟି ନିଗମ ମୋଟ୍‌ ୨୦୫ କୋଟି ୮୬ ଲକ୍ଷ ୭୦ ହଜାର ୩୧୩ ଟଙ୍କା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୧୫-୧୬ ବର୍ଷଠାରୁ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୧୯୯୫-୯୬ ଠାରୁ ଏହି ଲାଭାଂଶ ପ୍ରଦାନ କରୁଛନ୍ତି। ଓଡ଼ିଶା କୃଷି ଶିଳ୍ପ ନିଗମ ବାର୍ଷିକ ହାରାହାରି ୮୦୦ ରୁ ୯୦୦ କୋଟି ଟଙ୍କାର ସାର, କୃଷି ଯନ୍ତ୍ରପାତି, ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ଧାନବୁଣା ଯନ୍ତ୍ର ଇତ୍ୟାଦି ସରକାରଙ୍କ ଧାର୍ଯ୍ୟ ରିହାତି ଦରରେ ଚାଷୀମାନଙ୍କୁ ଯୋଗାଇ ଦେଉଛି। ରାଜ୍ୟ କାଜୁ ଉନ୍ନୟନ ନିଗମର ପ୍ରଚେଷ୍ଟା ଯୋଗୁ ଓଡ଼ିଶା ବର୍ତ୍ତମାନ ଦେଶରେ କାଜୁ ଉତ୍ପାଦନରେ ଓ ଉଦ୍ୟାନର କ୍ଷେତ୍ରଫଳରେ ଦେଶରେ ସର୍ବଶ୍ରେଷ୍ଠ ହୋଇପାରିଛି। ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଓଡ଼ିଶାର ଶକ୍ତି ଆବଶ୍ୟକତାର ପ୍ରାୟ ୪୫% ପ୍ରଦାନକରି ରାଜ୍ୟର ଶକ୍ତି ଉତ୍ପାଦନ ଓ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଲୋକସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି ଅବସରରେ ଉପସ୍ଥିତ ଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଏବଂ ଶକ୍ତି ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚେକ୍‌ ପ୍ରଦାନ କରିଛନ୍ତି।