ମା’ ବଞ୍ଚିଥିବା ଭାବି ମୃତଦେହକୁ ଘରେ ଆଣି ରାତିସାରା ଜଗିରହିଲେ ୪ ପିଲା, ହେଲେ…

ପାଲଲହଡ଼ା,୮ା୧(ଦିବ୍ୟଜ୍ୟୋତି ଦାଶ): ୪ ବର୍ଷ ତଳେ ପରପାରିକୁ ଚାଲିଯାଇଥିଲେ ସ୍ବାମୀ ଗୁରୁ ମୁଣ୍ଡା। ସେବେଠାରୁ ୩ ଝିଅ ଓ ଗୋଟିଏ ପୁଅର ବୋଝ ନିଜେ ଉଠାଉଥିଲେ ବିଧବା ଜାନ ମୁଣ୍ଡା। ଦୈନିକ ମୂଲ ମଜୁରି ଖଟି ପିଲାଙ୍କ ମୁହଁରେ ଦାନା ଦେଉଥିବା ଜାନ ଗତ ୫ ତାରିଖଠାରୁ ନିଖୋଜ ଥିଲେ। ୬ ତାରିଖ ସନ୍ଧ୍ୟାରେ ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ତାଙ୍କର ୪ ପିଲା ଅନାଥ ହୋଇଯାଇଛନ୍ତି। ତେବେ ମା’ କାଳେ ବଞ୍ଚିଥିବେ, ତାହା ଭାବି ପିଲାମାନେ ମୃତଦେହ ଆଣି ଘରେ ରଖିବା ସହ ରାତିସାରା ଜଗିବସିବା ବୁଧବାର ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ପାଲଲହଡ଼ା ଥାନା ଝାରବେଡ଼ା ପଞ୍ଚାୟତ ସୁସବନାଳୀ ଗାଁର ବିଧବା ଜାନ ମଜୁରି ଖଟିବାକୁ ସୋମବାର ସକାଳେ ଘରୁ ବାହାରି ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ନ ଫେରିବାରୁ ପିଲାମାନେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ମଙ୍ଗଳବାର ସାରେ ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କେନ୍ଦୁପତ୍ର ଫଡି ଘର ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଜାନଙ୍କ ମୁହଁକୁ କୌଣସି ଭାରି ପଦାର୍ଥରେ ଆଘାତ କରାଯାଇଥିବା ବେଳେ ଗଳା ମଧ୍ୟ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖିବାକୁ ମିଳିଥିଲା। ଜାନଙ୍କ ମୃତଦେହ ମିଳିବା ପରେ ତାହାକୁ ୪ ପିଲା ଘରକୁ ନେଇଯାଇଥିଲେ। ମା’ କାଳେ ବଞ୍ଚତ୍ଥିବେ ତାହା ଭାବି ସାରା ରାତି ସେମାନେ ଜଗି ବସିଥିଲେ। ଗ୍ରାମବାସୀଙ୍କଠାରୁ ଖବରପାଇ ପୋଲିସ ଗଁାରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଅନୁଗୋଳରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚତ୍ବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ସମ୍ପର୍କରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ନଂ. ୬/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ପ୍ରକାଶ କରିଛନ୍ତି।

Dharitri – The Largest & Most Trusted Odia Daily

Share
Tags: odisha