ଭଞ୍ଜନଗର ବ୍ଲକରେ ୧୧ କୋଟି ଟଙ୍କାର ତିନୋଟି ରାସ୍ତା ପ୍ରକଳ୍ପର ଶିଳାନ୍ୟାସ

ଭଞ୍ଜନଗର,୨୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ପାଇଁ ରବିବାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଟ ତିନୋଟି ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏହି ତିନୋଟି ରାସ୍ତା ପ୍ରକଳ୍ପ ବାବଦରେ ମୋଟ ୧୧ କୋଟି ଟଙ୍କା ବ୍ୟୟ କରାଯିବ। ତିଲିସିଙ୍ଗି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ପାଇଁ ୧.୯୧ କୋଟି ଟଙ୍କା। ବଡ଼ନଦୀରୁ ଚଢ଼େୟାପଲ୍ଲୀ ଭାୟା ତିଲିସିଙ୍ଗି ଗ୍ରାମ୍ୟ ଉନ୍ନୟନ ରାସ୍ତା ୨.୭୧ କୋଟି ଟଙ୍କା। ରାଇପଲ୍ଲୀରୁ ଗୋପିନାଥପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ୬.୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ଅବସରରେ ବିଧାୟକ ନାୟକ କହିଛନ୍ତି ଯେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀକୁ ରାଜ୍ୟର ଏକ ଅଗ୍ରଣୀ ନିର୍ବାଚନ ମଣ୍ଡଳୀ ଭାବେ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ।

ଏହି କାର୍ଯ୍ୟକ୍ରମରେ ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଏବଂ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share
Tags: bhanjanagar