ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ ବଢୁଛି।
୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ତଦନ୍ତ ଆରମ୍ଭ ହୋଇ ନ ଥିଲା। ଫଳରେ କିରିକୁଟି ପଞ୍ଚାୟତ ଅଞ୍ଚଳବାସୀ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଅଞ୍ଚଳବାସୀ ଗୁରୁବାର ଥାନା ଘେରାଉ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦାରିଙ୍ଗବାଡି ପୋଲିସ ଆକ୍ରମଣ କରାଯାଇଥିବା ଗ୍ରାମ ଉକ୍ତ ପଞ୍ଚାୟତର ପାଟାଙ୍ଗିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ କିଛି ସନ୍ଦେହଜନକ ସାମଗ୍ରୀ ଜବତ କରିଛି। ତେବେ ଆକ୍ରମଣ କରିଥିବା ଦୁର୍ବୁତ୍ତଙ୍କୁ ଖୋଜି ବାହାର କରି ପୋଲିସ ଶୀଘ୍ର ଗିରଫ କରୁ ନ ହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କିରିକୁଟି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଦିଲୀପ କୁମାର ପ୍ରଧାନ, ରତ୍ନ ସିଂ ପାତ୍ର,ହୃଷିକେଶ ବେହେରଦଳାଇ, ସୁରେଶନ ସାହୁ,ରାମପତି ପ୍ରଧାନ, ରମାକାନ୍ତ ଦଣ୍ଡସେନା, ପ୍ରସନ୍ନ ପ୍ରଧାନ, ଅମିତ ଦିଗାଲ, ମନୁ ଦିଗାଲ, ଭିକି ସାହୁ, ଭୀମରାଜ ଦିଗାଲ, ମୀନକେତନ ପଣ୍ଡା, ତାରେଶ୍ୱର ପ୍ରଧାନ, ଟ୍ରଲି ପ୍ରଧାନ, ପ୍ରମୁଖ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁ ତାଙ୍କ ସମ୍ପର୍କୀୟଙ୍କ ଘରେ ପାଟାଙ୍ଗି ଗ୍ରାମରେ ଥିଲେ। ଏହି ସମୟରେ ବିଦ୍ୟୁତ ଚାଲିଯାଇଥିବାବେଳେ ଏକାଧିକ ଦୁର୍ବୁତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ତ୍ରିଲୋଚନଙ୍କ ବେକ, ପିଠି, ହାତ, ପେଟ ଆଦିକୁ ଗଭୀର ଆଘାତ କରିଥିଲେ। ବିଦ୍ୟୁତ ଆସିବା ବେଳେ ତ୍ରିଲୋଚନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରଣ ସହ ସଂଗ୍ରାମ କରୁଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜିକୁ ଅଧିକା ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି କୁହାଯାଉଛି। ତ୍ରିଲୋଚନଙ୍କୁ ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଗୁରୁତର ତ୍ରିଲୋଚନଙ୍କ ମାମୁଙ୍କ ପୁଅ ଜୟଚନ୍ଦ୍ର ପ୍ରଧାନ ସୋମବାର ଲିଖିତ ଅଭିଯୋଗ କରିଥିଲେ। ଘଟଣାର ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ନ ଥିବା ନେଇ ଅସନ୍ତୋଷ ବଢିଛି। ଏନେଇ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠିଙ୍କ ସହ ଯୋଗାଯୋଗ କରାଯିବାରୁ ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି। ଖୁବଶୀଘ୍ର ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚିବ ବୋଲି ସେ କହିଛନ୍ତି