ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା: ଭିଡିଓରେ କହିଲେ ସାଂଘାତିକ କଥା!

ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଘରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିଳମ୍ବ ଏବଂ ଅଭିଯୁକ୍ତଙ୍କୁ ଧରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନିଜେ ଗୁରୁତର ଆହତ ହୋଇଥିବା ପୂର୍ବତନ ସରପଞ୍ଚ ତ୍ରିଲୋଚନ ଅଭିଯୋଗ କରିଛନ୍ତି । ସେ ଏବେ ଏମକେସିଜିରେ ଚିକିତ୍ସାଧିନ ରହିଥିବା ବେଳେ ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ତ୍ରିଲୋଚନ ନିକଟରେ ଏ ପର୍ଯ୍ୟନ୍ତ ପହଞ୍ଚି ତାଙ୍କ ବୟାନ ରେକର୍ଡ କରୁନଥିବା ସେ ଅଭିଯୋଗ କରିଛନ୍ତି।

ସେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, କିଭଳି ଚକ୍ରାନ୍ତ କରି ତାଙ୍କୁ ବିଳମ୍ବିତ ରାତିରେ ହତ୍ୟା ଉଦ୍ୟମ କରି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କଟାଯିବା ସହ ଶରୀରରେ ଏକାଧିକ ସ୍ଥାନରେ ଭୂଷି ଦିଆଯାଇଥିଲା। ସେ ଚିତ୍କାର କରୁଥିବାବେଳେ କରେଣ୍ଟ ଚାଲିଆସିଥିଲା। ଏହି ସମୟରେ ପଡିଶା ଲୋକ ପହଞ୍ଚିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଦରମରା କରି ଛାଡିଚାଲିଯାଇଥିବା ସେ କହିଛନ୍ତି ।

ସେହିପରି ପୂର୍ବରୁ ତାଙ୍କ ଜମି ହଡପ କରିବାକୁ କିଭଳି ମାଡ଼ ମରାଯାଇଥିଲା ଓ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ସେକଥା ମଧ୍ୟ କହିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ବୁଝା ସୁଝା କରି ତାଙ୍କୁ ଚାପ ସୃଷ୍ଟି କରି ରାଜିନାମା କରି ଅଭିଯୁକ୍ତ ମାନଙ୍କୁ ଖୋଲା ଛାଡିଦେଇଥିବା ସେ ଅଭିଯୋଗ କରିଛନ୍ତି। କହିବା ଦିନରୁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ଆଜି ତାଙ୍କର ଏହି ଦଶା ହୋଇନଥାନ୍ତା ବୋଲି ସେ ପୋଲିସ ଉପରେ ଆଙ୍ଗୁଳି ଉଠାଇଛନ୍ତି।

ଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ଦାବି କରିବା ସହ ସେ ଯଦି ସୁସ୍ଥ ହୋଇ ଫେରନ୍ତି ତେବେ ବାହାରେ ବୁଲୁଥିବା ଅଭିଯୁକ୍ତମାନେ ତାଙ୍କୁ ଜୀବନରେ ମାରିଦେବା କୁ ପୁଣି ଉଦ୍ୟମ କରିପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି। ବର୍ତ୍ତମାନ ପୋଲିସ ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରି ତଦନ୍ତକୁ ଜୋରଦାର କରିଛି । ସବଇନ୍ସପେକ୍ଟର ଜୟନ୍ତ ସେଠି, ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ସଦଳବଳ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହ ବୁଧବାର ଏହି ମାମଲାରେ ଜଣେ ମହିଳାଙ୍କୁ ଥାନାରେ ପଚରାଉଚରା କରି ଛାଡ଼ିଦେବା ସହ ବିଳମ୍ବିତ ରାତିରେ କ. ନୂଆଗାଁ ଥାନା ଅଞ୍ଚଳର ଜଣକୁ ଥାନାକୁ ଆଣି ପଚରାଉଚରା କରୁଛି। ପୋଲିସ ଖୁବ ଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ ମାନଙ୍କ ନିକଟରେ ପୋଲିସ ପହଞ୍ଚିବ ବୋଲି ପୋଲିସ କହିଛି। ପୋଲିସର ତଦନ୍ତକୁ ନେଇ ଧୀରେ ଧୀରେ କିରିକୁଟି ପଞ୍ଚାୟତବାସୀ ପୁଣି ପୋଲିସ ପ୍ରତି ଆସ୍ଥା ପ୍ରକଟ କରିଥିବା ପୂର୍ବତନ ସମିତିସଭ୍ୟ ଦିଲୀପ ପ୍ରଧାନ, ସୁରେଶନ ସାହୁ ପ୍ରମୁଖ କହିଛନ୍ତି।