Categories: Home Leftଖେଳ

ଗମ୍ଭିରଙ୍କ ସହ ବିବାଦ ଉପରେ ମୁହଁ ଖୋଲିଲେ ଅକ୍‌ମଲ

ନୂଆଦିଲ୍ଲୀ,୩୦।୧: ୨୦୧୦ ଏସିୟା କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୌତମ ଗମ୍ଭିରଙ୍କ ସହ ମୁହଁା ମୁହଁା ହୋଇଥିଲେ ଉଇକେଟକିପର ବ୍ୟାଟର କମରାନ ଅକ୍‌ମଲ। ଏହି ଘଟଣା ଉପରେ ଅକମଲ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି। ନିକଟରେ ଶେଷ ହୋଇଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲଏଲସି)ରେ ଭାଗ ନେଇଥିବା ଅକମଲଙ୍କୁ ‘ଗମ୍ଭିର ଓ ହରଭଜନ ସିଂଙ୍କ ମଧ୍ୟରୁ କାହା ସହିତ ତୁମର ବଡ଼ ଶତ୍ରୁତା ଥିଲା’ ବୋଲି ପ୍ରଶ୍ନ କରାଯାଇଥିଲା।

ଏହାର ଉତ୍ତରରେ ୪୦ ବର୍ଷୀୟ ଉଇକେଟକିପର କହିଛନ୍ତି, “ଦୁଇ ପୂର୍ବତନ ଖେଳାଳିଙ୍କ ମଧ୍ୟରୁ କାହା ସହ ମୋର ଶତ୍ରୁତା ଥିଲା, ମୋତେ ଲାଗୁନି। ଭୁଲ ବୁଝାମଣା ଯୋଗୁ ଏହା ଘଟିଥିଲା। ବେଳେବେଳେ ଏହା ଘଟେ। ଏସିଆ କପ୍‌ରେ ମୋର ଗମ୍ଭିରଙ୍କ ସହ ଭୁଲ ବୁଝାମଣା ହୋଇଥିଲା। ସେ ଜଣେ ଭଲ ବ୍ୟକ୍ତି ଏବଂ ଭଲ କ୍ରିକେଟର ମଧ୍ୟ। ଆମେ ଏ’ ଟିମ୍‌ରେ ମଧ୍ୟ ସାଙ୍ଗ ହୋଇ ଖେଳିଛୁ। ଏଣୁ ମୋର କାହା ସହ କୌଣସି ଶତ୍ରୁତା ନାହିଁ”।

ସେହି ମ୍ୟାଚ୍‌ରେ ପାକିସ୍ତାନକୁ ୩ ଉଇକେଟ ହରାଇଥିଲା ଭାରତ। ବିଜୟୀ ଦଳ ପାଇଁ ଗମ୍ଭିର ୮୩ ରନ୍‌ର ଇନିଂସ ଖେଳିଥିଲେ। ଫାଇନାଲରେ ଭାରତ ୮୧ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍‌ ଜିତିଥିଲା। ଉଲ୍ଲେଖଯୋଗ୍ୟ, ଅକମଲ ପାକିସ୍ତାନ ପାଇଁ ୫୩ ଟେଷ୍ଟ, ୧୫୭ ଦିନିକିଆ ଓ ୫୮ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୬୪୮, ୩୨୩୬ ଏବଂ ୯୮୭ ରନ୍‌ କରିଥିଲେ।